ତୃତୀୟ ଟି-୨୦ ମ୍ୟାଚ ଖେଳିବେ ନାହିଁ ବିରାଟ, ରାହୁଲ !

ହାଇଦ୍ରାବାଦ,ଏଜେନ୍ସି: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଖେଳିନପାରନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ଉପ ଅଧିନାୟକ କେଏଲ ରାହୁଲ । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ତେବେ ତୃତୀୟ ଟି-୨୦ ମ୍ୟାଚରେ ବିରାଟଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନ ଦିଆଯାଇ ଦଳ ତରଫରୁ ବିଶ୍ରାମ ଦିଆଯାଇପାରେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଟିକିଆ ଟି-୨୦ ସିରିଜ ଖେଳୁଛି ଭାରତ । ଏହି ସିରିଜରେ ୨-୦ରେ ଆଗୁଆ ରହି ସିରିଜ କବଜା କରିବାରେ ସଫଳ ରହିଛି ମ୍ୟାନ ଇନ ବ୍ଲୁ ।

ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ । ଅକ୍ଟୋବର ୨୩ ତାରିଖ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଭାରତ ପାକିସ୍ତାନ ମଧ୍ୟରେ ସବୁବେଳେ ହାଇଭୋଲଟେଜ ମ୍ୟାଚ ଖେଳାଯାଇଥାଏ । ତେଣୁ ବିଶ୍ବକପକୁ ଦୃଷ୍ଟିରେ ରଖି ବିରାଟ କୋହଲିଙ୍କୁ ତୃତୀୟ ଟି୨୦ରେ ବିଶ୍ରାମ ଦିଆଯାଇପାରେ ।

ଏବାବଦରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ବିରାଟ କୋହଲି କ୍ରମାଗତ ଗୋଟିଏ ପରେ ଗୋଟିଏ ମ୍ୟାଚ ଖେଳୁଛନ୍ତି । ତେଣୁ ବିଶ୍ବକପକୁ ଦୃଷ୍ଟିରେ ରଖି ତାଙ୍କୁ ଦଳୀୟ ଚାପଠୁ ଦୂରରେ ରଖାଯିବା ଦରକାର । ଅକ୍ଟୋବର ୨୩ ତାରିଖରେ ଭାରତ ପାକିସ୍ତାନ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ତେଣୁ ଆମେ ଚାହୁଁ ବିରାଟ କୋହଲି ଶାରୀରିକ ଏବଂ ମାନସିକ ଭାବରେ ସମ୍ପୂର୍ଣ୍ଣ ଫିଟ ରୁହନ୍ତୁ । ସେ ଦଳ ପାଇଁ ନିୟମିତ କ୍ରିକେଟ ଖେଳୁଛନ୍ତି । ତେଣୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ବିଜୟ ପରେ ତାଙ୍କୁ ଦଳ ତରଫରୁ ବିଶ୍ରାମ ମିଳିବା ଦରକାର ।”