ବଲାଙ୍ଗିର,ଏନ୍ଏନ୍ଏସ୍ : ସ୍ଥାନୀୟ ଲର୍କିପାଲିସ୍ଥିତ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପରିସରରେ ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଆଞ୍ଚଳିକ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋଚିକିତ୍ସା ସେବା ଏବଂ ମୋ ଯତ୍ନ ସମ୍ବନ୍ଧୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଦିଗାମ୍ବର ନାୟକ ଓ ସଂଘର ସାଧାରଣ ପରିଚାଳକ ଡା. ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ‘ଗୋପାଳନ ମାଧ୍ୟମରେ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀଙ୍କ ସାମାଜିକ ଉତଥାନ ସମ୍ବନ୍ଧୀୟ କର୍ମଶାଳା’ର ଆୟୋଜନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ସଂଘ ମାଧ୍ୟମରେ ୧୫ ହଜାର ଦୁଗ୍ଧ ଚାଷୀ ସାମିଲ ହୋଇଛନ୍ତି ଏବଂ ସେମାନଙ୍କଠାରୁ ଦୈନିକ ୬୫,୦୦୦ ଲିଟର ଦୁଗ୍ଧ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ଯେପରି ଦୁଗ୍ଧ ସଂଘରେ ୩୦ ହଜାର ଦୁଗ୍ଧ ଚାଷୀ ସାମିଲ ହେବେ ସେଦିଗରେ ପ୍ରଚେଷ୍ଟା କରିବା ପାଇଁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ୩ଜଣ ପ୍ରାଣୀ ଚିକିତ୍ସକ ଡା.ଭବାନୀ ଶଙ୍କର ବେହେରା, ଡା.ସୁବ୍ରତ କୁମାର ରଥ ଓ ଡା.ପଲ୍ଲବୀ ପ୍ରିୟଦର୍ଶିନୀଙ୍କ ଗୋପାଳନ ବିକାଶ ଦିଗରେ ଅବଦାନ ଯୋଗୁ ଜଣେ ଦୁଗ୍ଧ ଚାଷୀ ସତ୍ୟନାରାୟଣ ବେହେରା ଲଗାତାର ୩ ବର୍ଷ ଧରି ସର୍ବାଧିକ ଦୁଗ୍ଧ ଯୋଗାଣ କରିଥିବାରୁ ତାଙ୍କୁ ପ୍ରଶଂସାପାତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦୁଗ୍ଧ ସଂଘର ସାଧାରଣ ପରିଚାଳକ ଡା.ସରୋଜ କୁମାର ସାହୁ ସଂଯୋଜନା କରିଥିବା ବେଳେ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ, କେତେକ ସମିତି ସଂପାଦକଙ୍କ ସମେତ ଦୁଗ୍ଧ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।