କୋରାପୁଟ,ଏନ୍ଏନ୍ଏସ୍: ମାଛକୁଣ୍ଡ ଗଡ଼ିଘାଟ ଛକରୁ ଏକ ପିକଅପ୍ ଭ୍ୟାନରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ମାଛକୁଣ୍ଡ ପୁଲିସ ଜବତ କରିଛି। ଉକ୍ତ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ୨ଜଣ ହେଲେ ମାଛକୁଣ୍ଡର ଦେବେନ୍ଦ୍ର ବେହେରା ଓ ଜୟନ୍ତିଗିରିର ଘାସି ଖରା। ମାଛକୁଣ୍ଡ ଅଞ୍ଚଳରୁ ବିହାରକୁ ଏକ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ପାଇଥିଲେ। ଖବର ଆଧାରରେ ଥାନାଧିକାରୀ ଶ୍ରୀ ଲାକ୍ରା ପୁଲିସ୍ ଟିମ୍ ସହ ଗଡ଼ିଘାଟ ଛକରେ ନାକାବନ୍ଦୀ କରିଥିଲେ। ଏହି ସମୟରେ ଗଞ୍ଜେଇ ନେଇ ଯାଉଥିବା ଭ୍ୟାନ୍ ଆସିବା ମାତ୍ରେ ପୁଲିସ୍ ଟିମ୍ ଗାଡ଼ି ଅଟକାଇ ଯାଞ୍ଚ କରିବା ବେଳେ ଗାଡ଼ିିରୁ ଜରି ଅଖାରେ ଭର୍ତ୍ତି ଥିବା ୪୬୮କିଲୋ ୫୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ମାଛକୁଣ୍ଡ ଥାନାରେ ଏନଡିପିଏସ୍ ଆକ୍ଟ୍ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନନ୍ଦପୁର ଏସଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।