ଶସ୍ତାରେ ଗ୍ରସୋରୀ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ

କୋରାପୁଟ,ଏନ୍ଏନ୍ଏସ୍: କରୋନାର ସୁଯୋଗ ନେଇ ଶସ୍ତାରେ ଗ୍ରସୋରୀ ସାମଗ୍ରୀ ଘରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଇ ଜୟପୁରରେ ଅନ୍ନପୂର୍ଣା ଏଣ୍ଟରପ୍ରାଇଜେସ୍ ନାମକ ଏକ ସଂସ୍ଥା ଲୋକଙ୍କଠାରୁ ପ୍ରାୟ ୧୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକି ନେଇଥିବା ଜୟପୁର ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ରିପୋର୍ଟ ମୁତାବିକ, ଲକଡାଉନ ସମୟରେ ଜୟପୁର ସହରରେ ଲୋକଙ୍କୁ ଅନଲାଇନ୍ ବୁକିଂରେ ଘରେ ଗ୍ରସୋରୀ ପହଞ୍ଚାଇବା ପାଇଁ ଅନ୍ନପୂର୍ଣା ଏଣ୍ଟରପ୍ରାଇଜେସ୍ ବେକାର ଯୁବକ ଯୁବତୀଙ୍କୁ ଫେକ୍ ନିଯୁକ୍ତି ପତ୍ର ଦେଇ ମେମ୍ବରସିପ୍ କରିବାକୁ କହିଥିଲା। ସ୍ଥାନୀୟ ଯୁବକ ଯୁବତୀ ସଂସ୍ଥା ଉପରେ ଭରସା କରି ପ୍ରାୟ ୧୨୦୦ ଲୋକଙ୍କ ନିକଟରୁ ନାମ ପଞ୍ଜୀକରଣ ବାବଦରେ ୧୨୫୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ। ହେଲେ ଇତି ମଧ୍ୟରେ ଅନେକ ଦିନ ବିତିଯିବା ପରେ ବି ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଦରମା ନଦେବା ଓ କୌଣସି ଗ୍ରାହକଙ୍କୁ ଗ୍ରସୋରୀ ଦିଆଯାଇ ନଥିବା ଜଣାପଡ଼ିଛି। ଅନ୍ୟପଟେ କିଛିଦିନ ପୂର୍ବରୁ ଉକ୍ତ ଠକ ସଂସ୍ଥା ରାତାରାତି ଦୋକାନ ଭାଙ୍ଗି କୁଆଡ଼େ ଉଭାନ୍ ହୋଇଯାଇଛି। ଲୋକେ ଏହା ଜାଣିବା ପରେ ଜୟପୁର ଟାଉନ୍ ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ ଘଟଣାର ପୁଂଖାନୁପୁଂଖ ଅନୁଧ୍ୟାନ କରି ତଦନ୍ତ କରିବ ବୋଲି ଜୟପୁର ଟାଉନ୍ ଥାନାଧିକାରୀ ବାଲେଶ୍ୱର ଗିଦ୍ଧି ସୂଚନା ଦେଇଛନ୍ତି।