ରାୟଗଡ଼ା ଜିଲ୍ଲାରେ ୧୭୨୧ ପଏଣ୍ଟରେ ଲାଗିଛି ନିଆଁ: ନିଆଁ ଲଗାଇବା ଅଭିଯୋଗରେ ୨ ଗିରଫ୍

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ାରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଏନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଥିବା ବେଳେ ଏବେ ନିଆଁ ନିୟନ୍ତ୍ରଣକୁ ଆସିଥିବା କହିଛନ୍ତି ବନଖଣ୍ଡ ଅଧିକାରୀ। ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ପାରମ୍ପରିକ କୃଷି ପଦ୍ଧତି ପୋଡୁ ଚାଷ ପାଇଁ ସଂରକ୍ଷିତ ବନଖଣ୍ଡର ସହସ୍ରାଧିକ ହେକ୍ଟର ଜଙ୍ଗଲ ପାଉଁଶ ହେଉଛି। ସଚେତନତା ଅଭାବ ଯୋଗୁଁ ବନଖଣ୍ଡ ନିକଟସ୍ଥ ବାସିନ୍ଦା ଜଙ୍ଗଲରେ ଲଗାଉଛନ୍ତି ନିଆଁ। ଗତ ଏକ ମାସ ଭିତରେ ଜିଲ୍ଲା ଜଙ୍ଗଲର ୧୭୨୧ ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ରାୟଗଡା ଡିଏଫଓ ଅଶ୍ଵିନୀ କୁମାର କର। ଏବେ ଗାଁ ଗାଁରେ ସଭାସମିତି କରାଯାଇ ଲୋକଙ୍କୁ ସଚେତନ କରାଯିବାସହ ଯେଉଁମାନେ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଛନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି ଡିଏଫଓ।

ଜିଲ୍ଲାରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଦୁଇଟି ୟୁନିଟ ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଥିବା ବେଳେ ବନସୁରକ୍ଷା ସମିତି ଏହି ନିଆଁ ଲିଭା କାମରେ ସାମିଲ ହୋଇଛନ୍ତି। ପ୍ରଥମେ ରାଜସ୍ୱ ବିଭାଗ ଅଧୀନରେ ଥିବା ଜଙ୍ଗଲରେ ନିଆଁ ଲାଗୁଥିବା କହି ଜଙ୍ଗଲ ବିଭାଗ ଚୁପ୍ ବସିବା ପରେ ଏବେ ନିଆଁ ଲିଭା କାମରେ ବେଶ୍ ତତ୍ପର ଦେଖାଇଛି। ଗତ ୯ ତାରିଖ ଦିନ ରାୟଗଡ଼ା ଜିଲ୍ଲାପାଳ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ୧୧ଟି ବ୍ଲକର ବିଡିଓ ଓ ତହସିଲଦାରଙ୍କ ସହ ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ପରେ ପ୍ରଶାସନ ପକ୍ଷରୁ ଏବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବନବିଭାଗ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ କୁମାଙ୍ଗ ଗ୍ରାମର ବାରୀ ହୁଇକା ଓ ଗୁଣପୁର ଥାନା ଅନ୍ତର୍ଗତ ସିରିଗୁଡା ଗ୍ରାମର ତୁଡୁକା ପାତିକାକୁ ଗିରଫ କରି କୋର୍ଟ ଚାଲାଣ କରିଛି। କେବଳ ଏହି ଦୁଇ ଜଣଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଥିବା ବେଳେ ପୋଡୁ ଚାଷ ନାଁରେ ଜିଲ୍ଲାର ବିଭିନ୍ନ ରେଞ୍ଜ ଅଧୀନରେ ଶହ ଶହ ହେକ୍ଟର ଜଙ୍ଗଲ ଜମିରେ ନିଆଁ ଲଗାଯାଉଛି। ଆଉ ତାକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗ ନାକେଦମ ହୋଇପଡିଛି।

ପୁଲିସ ଓ ବନ ବିଭାଗର ଶୂନ୍ୟ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗ୍ରାମାଞ୍ଚଳରେ ପୋଡୁ ଚାଷ ନାଁରେ ଲୋକେ ଜଙ୍ଗଲକୁ ନିଆଁ ଲଗାଉଛନ୍ତି। ଅନ୍ୟପଟେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ପଶୁ ପକ୍ଷୀ ଏବେ ସହରମୁହାଁ ହେଉଛନ୍ତି। ଏହି ମଧ୍ୟରେ ରାୟଗଡା ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଆଜି ଯୁଦ୍ଧକାଳୀନ ଭିତ୍ତିରେ ଭୁବନେଶ୍ୱରରୁ ୨ଟି ଓଡ୍ରାଫ୍ ଟିମ୍ ରାୟଗଡାରେ ଆସି ପହଞ୍ଚିଛନ୍ତି। ଏହି ଟିମରେ ୨୪ ଜଣ ସଦସ୍ୟ ରହିଥିବା ବେଳେ ୧୨ ଜଣଙ୍କୁ ଗୁମ୍ମା ରେଞ୍ଜ ଅଞ୍ଚଳରେ ରଖାଯାଇଛି। ୬ଜଣ କର୍ମଚାରୀଙ୍କୁ ଡାଙ୍ଗସରୋଡା ଓ ଅନ୍ୟ ୬ ଜଣଙ୍କୁ ଚନ୍ଦ୍ରପୁର ବ୍ଲକରେ ନିୟୋଜିତ କରାଯାଇଛି। ସେହିପରି ଜିଲ୍ଲାର ବିଭିନ୍ନ ରେଞ୍ଜ୍ ଅଧୀନରେ ବନବିଭାଗର ଅଧିକାରୀ ମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

ସେହିପରି ବର୍ତ୍ତମାନ ଜଙ୍ଗଲ ସୁଖିଲା ରହିଥିବା ବେଳେ ଶୁଖିଲା ପତ୍ରକୁ ଅଲଗା କରିବା ପାଇଁ ଫ୍ଲାୟାର ବ୍ଲୋର ମେସିନ୍ ମାଧ୍ୟମରେ ଜଙ୍ଗଲ ସଫା କରାଯାଉଥିବା ଡିଏଫଓ ଅଶ୍ୱିନୀ କୁମାର କର ସୂଚନା ଦେଇଛନ୍ତି। ତେବେ ସାଟେଲାଇଟ୍ ମାଧ୍ୟମରେ ନିଆଁ ଲାଗିବାର ଦୃଶ୍ୟ ଜଣାପଡୁଥିବାରୁ ଖବର ଆସିବା ମାତ୍ରେ ଉକ୍ତ ସ୍ଥାନକୁ ଯାଇ ତୁରନ୍ତ ନିଆଁ ଲିଭା କାର୍ଯ୍ୟ କରାଯାଉଥିବା ବନବିଭାଗ ପକ୍ଷରୁ କୁହାଯାଇଛି।