ନୂଆଦିଲ୍ଲୀ: ସେନାରେ ଭର୍ତ୍ତି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଗ୍ନିପଥ ଯୋଜନା ନେଇ ଘୋଷଣା କରିଛନ୍ତି । କିନ୍ତୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଯୋଜନା ଯୁବକଙ୍କୁ ପସନ୍ଦ ଆସିନାହିଁ । ସେଥିପାଇଁ ଏହା ବିରୋଧରେ ଭିନ୍ନ ଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ବିହାର ଓ ରାଜସ୍ଥାନର ଲୋକ ଚାକିରି ସୁରକ୍ଷା ଓ ପେନସନ ଦାବି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଛପରାରେ ପ୍ରଦର୍ଶନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ଏହାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି ।
ସେନାରେ ୪ ବର୍ଷ ପାଇଁ ଭର୍ତ୍ତି ହେବାକୁ କେନ୍ଦ୍ର କରି ଯୁବକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନକାରୀଙ୍କ କହିବାନୁସାରେ, ୪ ବର୍ଷ ପରେ କେବଳ ୨୫ ପ୍ରତିଶତଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି ମିଳିଲେ ଆମର ଭବିଷ୍ୟତ କ’ଣ ହେବ । ଆଉ ବଳକା ୭୫ ପ୍ରତିଶତଙ୍କୁ କୌଣସି ପେନସନ ମଧ୍ୟ ଦିଆଯିବ ନାହିଁ । ୨ ବର୍ଷ ପରେ ସେନାରେ ଭର୍ତ୍ତି ଆରମ୍ଭ ହୋଇଛି ଆଉ ଏଥିରେ ଭବିଷ୍ୟତର ସୁନିଶ୍ଚିତତା ନାହିଁ ।