ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ ଅଦାଲତ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ଦୋଷୀକୁ ୨୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ନ ଭରିଲେ ଅଭିଯୁକ୍ତକୁ ଆଉ ଏକ ବର୍ଷ ଅଧିକ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ କହିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଜି ଉଦୟଗିରି ଥାନା ଅଞ୍ଚଳର ବିଜୟ ନାୟକ(୫୫) ।

ମିଳିଥିବା ରିପୋର୍ଟ ମୁତାବକ, ଅଭିଯୁକ୍ତ ବିଜୟ ଗତ ୨୦୨୦ ଡିସେମ୍ବର ୧ ତାରିଖ ଦିନ ଜି ଉଦୟଗିରି ଥାନା ଅଞ୍ଚଳର ଜନୈକା ୭ ବର୍ଷର ନାବାଳିକା ନିଜ ଘର ସାମ୍ନାରେ ଖେଳୁଥିବା ବେଳେ ତାକୁ ପାଖରେ ଥିବା ନିଜ ଦୋକାନକୁ ଜବରଦସ୍ତ ଟେକି ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଏନେଇ କାହା ଆଗରେ ପ୍ରକାଶ ନ କରିବା ପାଇଁ ଅଭିଯୁକ୍ତ ଧମକ ଦେଇଥିଲେ । ଭୟରେ ଝିଅ ଏ କଥା କାହାକୁ କହି ନଥିଲା । ତେବେ ରାତିରେ କଷ୍ଟ ହେବାରୁ ସେ କାନ୍ଦିଥିଲା । ଘରଲୋକେ କାନ୍ଦିବାର କାରଣ ପଚାରିବାରୁ ସେ ସମସ୍ତ କଥା ପ୍ରକାଶ କରିଥିଲା । ପରଦିନ ପିଡ଼ୀତାର ମା’ ଏସମ୍ପର୍କରେ ଜି ଉଦୟଗିରି ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ୯୯/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ଏହି ମାମଲାର ଶୁଣାଣୀ କରି ସାକ୍ଷୀଙ୍କ ବୟାନ ଓ ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।