ଲଦାଖ ଓ ହଟସ୍ପ୍ରିଙ୍ଗ-ଗୋଗରାରୁ ହଟିଲା ଚୀନ ସେନା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ପୂର୍ବ ଲଦାଖର ପିପି-୧୫, ୧୪ ଏବଂ ୧୭ଏ ଓ ହଟସ୍ପ୍ରିଙ୍ଗ-ଗୋଗରାରୁ ଉଭୟ ଭାରତ ଏବଂ ଚୀନ୍ ସେନା ନିଜ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। କିଛି ଦିନ ଧରି ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷର ସ୍ଥାନ ଗଲୱାନରୁ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଆଜି ଏହା ସମ୍ପୂର୍ଣ୍ଣ ହୋଇଛି।

ଏଥିସହିତ ଭାରତ ଓ ଚୀନ ପୂର୍ବ ଲଦାଖର ପେଙ୍ଗୋଙ୍ଗ ଅଞ୍ଚଳରୁ ଚୀନ ସୈନିକଙ୍କ ଫେରସ୍ତ ଶୈଳୀ ନିର୍ଦ୍ଧାରଣ କରିବା ଲାଗି ଆଗାମୀ ସପ୍ତାହରେ ଉଚ୍ଚସ୍ତରୀୟ ସୈନ୍ୟ ବାର୍ତ୍ତା ହୋଇପାରେ। ଏନେଇ ସରକାରୀ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଭାରତୀୟ ସେନାର ଉତ୍ତର କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ୟୁ.କେ ଜୋଶୀ କହିଛନ୍ତି ଯେ, ଚାରି ରାଉଣ୍ଡ କର୍ପସ କମାଣ୍ଡର ବୈଠକ ହେତୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଚାଲିଛି ଏବଂ ଏହା ଏକ ଜଟିଳ ପ୍ରକ୍ରିୟା ବୋଲି କୁହାଯାଇଛି।

ଜୁନ ୧୫ ରାତିରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହେବା ପରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରସ୍ଥିତି ଉପୁଜିଥିଲା। ପରେ ପରେ ଦୁଇ ଦେଶ ପରସ୍ପରକୁ ଆକ୍ରମଣ କରିବା ପାଇଁ ଗଲୱାନରେ ସେନା ଠୁଳ କରିଥିଲେ। ତେବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ନକରିବା ପାଇଁ ଏବେ ଦୁଇ ଦେଶର ସରକାର ଆଲୋଚନା କରି ଏହାର ସମାଧାନ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।