ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨ ଲକ୍ଷକୁ ଟପିଯାଇଛି। ଗତ ୨୪ ଘଣ୍ଟାରେ ୬୭ ହଜାର ୧୫୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୦୫୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି କରୋନା ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଦେଶଙ୍କ ତୁଳନାରେ ସର୍ବାଧିକ ରହିଛି। ଦିନକରେ ଆମେରିକାରେ ୪୦ ହଜାର ୯୮ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ବ୍ରାଜିଲରେ ୪୬ ହଜାର ୯୫୯ ଜଣ ରହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ୩୨ଲକ୍ଷ ୩୪ ହଜାର ୪୭୪ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୨୪ଲକ୍ଷ ୬୭ ହଜାର ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୫୯ ହଜାର ୪୪୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୭ଲକ୍ଷ ୭ ହଜାର ଲୋକ ଚିକିତ୍ସିତ ହେଉଛନ୍ତି।
ଆଶ୍ୱସ୍ତିକର କଥାଟି ହେଲା, ମୃତ୍ୟୁହାର ଓ ସକ୍ରିୟ ସଂକ୍ରମିତ ହାର ଦିନକୁଦିନ ଖସିବାରେ ଲାଗିଛି। ମୃତ୍ୟୁହାର ୧.୮୩ ହୋଇଥିବାବେଳେ ସକ୍ରିୟ ସଂକ୍ରମିତ ହାର ୨୨ପ୍ରତିଶତକୁ ଖସିଯାଇଛି। ଏଥିସହିତ ଦେଶରେ ସୁସ୍ଥହାର ଲଗାତାର ବଢ଼ି ୭୬ ପ୍ରତିଶତ ହୋଇଯାଇଛି। ଆଇସିଏମଆରର ରିପୋର୍ଟ ମୁତାବକ, ଅଗଷ୍ଟ ୨୫ ସୁଦ୍ଧା ମୋଟ ୩କୋଟି ୯୫ଲକ୍ଷ କରୋନା ଟେଷ୍ଟ ହୋଇଥିବାବେଳେ ଗତକାଲି କେବଳ ୯ଲକ୍ଷ ଟେଷ୍ଟ କରାଯାଇଛି।