ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଆଜି ୮୬ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ, ଭାଷାର ଗୁରୁତ୍ୱ ଠାରୁ ଆନ୍ତର୍ଜାତୀୟ ମହିଳା ଦିବସ ଓ ଲତା ମଙ୍ଗେସକରଙ୍କ ଦେହାନ୍ତ ବିଷୟରେ କଲେ ଆଲୋଚନା।
ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଭାଷା କେବଳ ଅଭିବ୍ୟକ୍ତିର ମାଧ୍ୟମ ନୁହଁନ୍ତି, ବରଂ ଏକ ସମାଜର ସଂସ୍କୃତି ଏବଂ ଐତିହ୍ୟକୁ ବଞ୍ଚାଇ ରଖିବାରେ ମଧ୍ୟ ସାହାଯ୍ୟ କରନ୍ତି। ତେଣୁ ଭାଷାଗୁଡ଼ିକର ନିଜସ୍ୱ ବିଶେଷ ଗୁଣ ରହିଛି, ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ରେ ସ୍ଥାନୀୟ ଉପଭାଷା ଉପରେ ଗୁରୁତ୍ୱ ଦିଆଯାଇଛି।
ଦେଶରେ ଆୟୁର୍ବେଦର ବିଜ୍ଞାନକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ଗଠନ ଦେଶର ପାରମ୍ପାରିକ ଔଷଧ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀକୁ ଲୋକପ୍ରିୟ କରିବା ପାଇଁ ଭାରତର ସଂକଳ୍ପକୁ ଦୃଢ କରିଛି।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆନ୍ତର୍ଜାତୀୟ ମହିଳା ଦିବସକୁ ନେଇ ପ୍ରଧାନମନ୍ତ୍ରୀ ମହିଳା ମାନଙ୍କୁ ସାହସ, ଦକ୍ଷତା ଏବଂ ପ୍ରତିଭାର ଅନେକ ଉଦାହରଣ ବୋଲି କହିଛନ୍ତି। ସ୍କିଲ ଇଣ୍ଡିଆ ହେଉ କି ଛୋଟ କିମ୍ବା ବଡ ଶିଳ୍ପ ହେଉ ଦେଶର ମହିଳାମାନେ ସବୁ କ୍ଷେତ୍ରରେ ଆଗରେ ରହିଛନ୍ତି ବୋଲି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ମୋଦି କହିଛନ୍ତି।
ଏହି ଅବସରରେ ୟୁଟ୍ୟୁବ୍ ସେନସେସନ୍ ତଥା ତାଞ୍ଜାନିଆର କିଲି ଓ ନୀମାଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦୀ। ନିକଟରେ ଏହି ଯୋଡି ଭାରତର ଜାତୀୟ ସଙ୍ଗୀତ ଗାନ କରିଥିଲେ ଓ ଲତା ମଙ୍ଗେସକରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଯାହାକୁ ନେଇ ଆଜି ମନ୍ କି ବାତ୍ରେ ମୋଦୀ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।