ଭାରତର ବୈଦେଶିକ ନୀତିକୁ ଇମ୍ରାନଙ୍କ ପ୍ରଶଂସା

ଇସଲାମାବାଦ,ଏଜେନ୍ସି: ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପ୍ରଶଂସା। ଭାରତର ଏପରି ନୀତି ସ୍ବାଧୀନ ଏବଂ ଲୋକଙ୍କ ଉନ୍ନତି ପାଇଁ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ନିଜ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାକୁ ଯାଉଥିବା ଇମ୍ରାନଙ୍କ ସତ୍ତା ବଜାୟ ରଖିବା ନେଇ ସନ୍ଦେହ ଲାଗି ରହିଥିବାବେଳେ ଏକ ଜନସଭାରେ ଭାରତ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଇମ୍ରାନ।

ଖାଇବର ପାଖ୍ତୁନାଖୱାର ମାଲାକାଣ୍ଡ ଅଞ୍ଚଳରେ ଆୟୋଜିତ ଏକ ଜନ ସମାବେଶରେ ଇମ୍ରାନ ଖାନ ଭାରତକୁ ପ୍ରଶଂସା କରିଛନ୍ତି। ଇମ୍ରାନ କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ସତ୍ତ୍ବେ ମଧ୍ୟ ଋଷରୁ ତୈଳ ଆମଦାନୀ କରିବ ଭାରତ। ଭାରତ ଆମେରିକାର ସହଯୋଗୀ ଭାବେ ମଧ୍ୟ ରହିଛି, ଅନ୍ୟପଟେ ଋଷ ସହ ମଧ୍ୟ ପୂର୍ବ ସମ୍ପର୍କ ମଧ୍ୟ ବଜାୟ ରଖିଛି। ଏହା ଭାରତର ନିଜସ୍ବ ତଥା ସ୍ବାଧୀନ ବୈଦେଶିକ ନୀତି, ଯାହାକୁ ସେ ସମର୍ଥନ କରୁଛନ୍ତି ବୋଲି କହିଥିଲେ।

ପାକିସ୍ତାନରେ ଜାରି ରହିଥିବା ଅର୍ଥନୈତିକ ସଙ୍କଟ ଓ ଅନ୍ୟ ସମସ୍ୟା ମଧ୍ୟରେ ଇମ୍ରାନ ଖାନଙ୍କ ସରକାରଙ୍କ ଅସ୍ଥିତ୍ବ ଉପରେ ଖଣ୍ଡା ଝୁଲୁଥିବା ପରିସ୍ଥିତି ସୃଷ୍ଟି ହୋଇଛି। ପରୋକ୍ଷରେ ଶାସନ ଚଳାଉଥିବା ପାକିସ୍ତାନ ସେନା ମଧ୍ୟ ଇମ୍ରାନଙ୍କୁ ପଦଚ୍ୟୁତ କରିବା ଲକ୍ଷ୍ୟରେ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପାକ ସେନାମୁଖ୍ୟ ଜେନେରାଲ ବାଜଓ୍ବା ପାକିସ୍ତାନର ଶାସନ ଇମ୍ରାନଙ୍କ ହାତରେ ରହିବା ଚାହୁଁ ନଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ଏହାରି ମଧ୍ୟରେ ମାର୍ଚ୍ଚ ୨୫ ତାରିଖରେ ସଂସଦ ଅଧିବେଶନ ଆହୁତ ହୋଇଛି। ଏହି ଅଧିବେଶନରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ଇମ୍ରାନ।