ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଇଏଲଏସ (ILS) କାର୍ଯ୍ୟକ୍ଷମ ପାଇଁ ଡିଜିସିଏ ଲାଇସେନ୍ସ ପ୍ରଦାନ କରିଛନ୍ତି। ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକଙ୍କୁ ଡିଜିସିଏଙ୍କ ପକ୍ଷରୁ ଇ-ମେଲ ମାଧ୍ୟମରେ ସୂଚିତ କରାଯାଇଛି। ଝାରସୁଗୁଡ଼ା ଭଳି ବିମାନ ବନ୍ଦର ପାଇଁ କାଟାଗୋରୀ (ଏ)ର ଆଇଏଲଏସ ସ୍ଥାପନ କରାଯାଇଛି। ଆଇଏଲଏସ କାର୍ଯ୍ୟକ୍ଷମ ହେବା ଦ୍ଵାରା ପ୍ରତିକୂଳ ପାଗରେ ଏହା ଛୋଟ ଓ ବଡ଼ ବିମାନ ଗୁଡ଼ିକର ଭିଜିବିଲିଟି ମାତ୍ର ୮ ଶହ ମିଟରକୁ ଖସିଆସିବ। ଫଳରେ ବର୍ଷା ଦିନେ କିମ୍ବା କୁହୁଡ଼ିରେ ମଧ୍ୟ ବିମାନ ଅବତରଣ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ସୂଚନା ଦେଇଛନ୍ତି।
ଏଥିପାଇଁ ଡିଜିସିଏ ପକ୍ଷରୁ ସମସ୍ତ ବିମାନ ସେବା ପ୍ରଦାନକାରୀ ଏୟାରଲାଇନ୍ସକୁ ନୋଟାମ (ନୋଟିସ୍ ଏୟାର ମ୍ୟାନ) ପ୍ରଦାନ କରାଯିବ। ଏହି ନୋଟିସର ଏକମାସ ପରେ ଯାଇ ଆଇଏଲଏସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ବିବେଚନା କରାଯିବ। ଶୁକ୍ରବାରଠାରୁ ଅବଶ୍ୟ ସମସ୍ତ ବିମାନ ଆଇଏଲଏସ ସେବା ପାଇ ପାରିବେ। କିନ୍ତୁ ତାହା ଟ୍ରାଏଲ ରନ୍ ଭାବରେ ନିଆଯିବ ଓ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ଆଇଏଲଏସ ସ୍ଥାପନ କରାଯାଇଥିବା ଶ୍ରୀ ସେନାପତି କହିଛନ୍ତି।
ପୂର୍ବରୁ ଏଠାରେ ଆଇଏଲଏସ ଲାଗି ନଥିବାରୁ ସାମାନ୍ୟ କୁହୁଡ଼ି ବା ବର୍ଷା ହେଲେ ବିମାନ ଉଡ଼ାଣ ଓ ଅବତରଣରେ ବାଧା ଉପୁଜୁଥିଲା। ଫଳରେ ପ୍ରତିକୂଳ ପରିବେଶରେ ଏଠାରୁ ଉଡ଼ାଣ ଭରିବାକୁ ଥିବା ବିମାନ ବାତିଲ ହେଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିଲା।