ବେଆଇନ ରତ୍ନ ପଥର ଉତ୍ତୋଳନ ମାମଲା, ଘଟଣାସ୍ଥଳରେ ପହଞ୍ଚିଲେ ବନ ବିଭାଗର ତଦନ୍ତକାରୀ ଟିମ

ଟିଟିଲାଗଡ,ଏନ୍ଏନ୍ଏସ୍: ବର୍ଷବର୍ଷ ଧରି ଅନାୟାସରେ ଟିଟିଲାଗଡ ମୂରିବାହାଲ ସୀମାନ୍ତରେ ଥିବା ସଂରକ୍ଷିତ ଗୁଲମି ତିଖାଲୀ ଜଙ୍ଗଲ ଭିତରେ ଚାଲିଥିବା ବେଆଇନ ରତ୍ନ ପଥର ଉତ୍ତୋଳନ କାରବାର ବର୍ତ୍ତମାନ ଖନନ କାଯ୍ୟରେ ନିୟୋଜିତ ଦୁଇଜଣ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହାନି ଘଟି ଲୋକଲୋଚନକୁ ଆସିବା ପରେ ଏହି ସଂରକ୍ଷିତ ଜଙ୍ଗଲର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ବନବିଭାଗର ମୂରିବାହାଲ ରେଞ୍ଜ ଅଧିକାରୀଙ୍କଠୁ ନେଇ ଗୁଲମି ଓ ଯଇଁତରା ବନପାଲଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ପ୍ରକାଶ ଯୋଗ୍ୟ ଯେ, କିଛି ମାସ ପୂର୍ବରୁ ମୁରିବାହାଲ୍ ବନ ରେଞ୍ଜ ଅଧିକାରୀ ଆୟ ବହିର୍ଭୁତ ମାମଲାରେ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଥିବା ବେଳେ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ।

ସଦ୍ୟ ଘଟିଥିବା ଶ୍ରମିକ ମୃତ୍ୟୁ ମାମଲାକୁ ନେଇ ପ୍ରଥମେ ବନ ବିଭାଗର ରେଞ୍ଜସ୍ଥରୀୟ ଅଧିକାରୀ ମାନେ ଘଟଣା ସ୍ଥଳ ପରିଦର୍ଶନ କରିଥିବା ବେଳେ ଗତକାଲି ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ଅଜିତ ବିଶି, ଏସିଏଫ୍ ବାବାଜୀ ଚରଣ ରାଉଳ, ଗୁଲମି ଫରେଷ୍ଟର ରଞ୍ଜିତ ସିଂଦେଓ, ଜୟତରା ଫରେଷ୍ଟର ଧ୍ରୁବ ଚରଣ ବଗର୍ତ୍ତୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଜଙ୍ଗଲ ମଧ୍ୟରେ ଖୋଳାଯାଇଥିବା ଗାତ ଗୁଡ଼ିକ ଦେଖିବା ସହ ଫଟୋ ଉତ୍ତୋଳନ କରି ଫେରିଥିଲେ। ଏହି ଟିମର ଅନୁସନ୍ଧାନକୁ ସ୍ଥାନୀୟ ଲୋକେ କେବଳ ଲୋକଦେଖାଣିଆ ବୋଲି ଅଭିହିତ କରୁଥିବାବେଳେ ଭାଲୁ ଡୁଙ୍ଗୁରି ପାହାଡ ନିକଟରେ ତଦନ୍ତକାରୀ ଦଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ତରବରିଆ ଭାବରେ ଚାଲିଯାଇଥିଲେ।

ଘଟଣା ଘଟିଥିବା ସ୍ଥାନର ଆଖପାଖରେ ବହୁ ସଂଖ୍ୟକ ଗାତ ଖୋଲାଯାଇଥିବା ଦେଖିବାକୁ ମିଳିଥିବାବେଳେ ଘଟଣାସ୍ଥଳରୁ କୋଦାଳ, ଟାଙ୍ଗିଆ, ରସି, ବିଦ୍ୟୁତ୍ ତାର, ବୋତଲ ଆଦି ଅନେକ ସାମଗ୍ରୀ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଏହି ରତ୍ନ ପଥର ଉତ୍ତୋଳନ ମାମଲାର ମୁଖ୍ୟ କାର୍ପଟଦାର ରାଜୁ ସାହୁ ବନବିଭାଗ ପଦାଧିକାରୀଙ୍କ ସହ ଉତ୍ତମ ସମ୍ପର୍କ ରଖି ଅନାୟାସରେ ଏହି ଚୋରା ଖନନ କାର୍ଯ୍ୟ ଚଳାଇଥିବା ବେଳେ ପୂର୍ବରୁ ମଧ୍ୟ ଅନେକ ଥର ଘଟିଥିବା ଏହିପରି ଘଟଣା ଲୋକଲୋଚନକୁ ଆସିପାରି ନଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ବନବିଭାଗର ତଦନ୍ତ ଆଗକୁ କେଉଁ ମୋଡ ନେଉଛି ଓ ପଣସ ଖାଇ କାହା ମୁଣ୍ଡରେ ଅଠା ବୋଳା ହେଉଛି ତାହା ଦେଖିବାକୁ ବାକି ରହିଲା।