ନକଲି ମଦ ତିଆରି କାରଖାନା ଠାବ: ୨ ଗିରଫ, ୨୮ ଲକ୍ଷ ଟଙ୍କା ଜବତ

ବରଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ପାଇଁ ସମଗ୍ର ଅଞ୍ଚଳ ଲକଡାଉନ ଥିବା ବେଳେ ବରଗଡ଼ରେ ଠାବ ହୋଇଛି ନକଲି ମଦ ତିଆରି କାରଖାନା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୨୮ ଲକ୍ଷ ଟଙ୍କା ସମେତ ମଦ ତିଆରି ସରଞ୍ଜାମ, ସରକାରୀ ଚିହ୍ନ ଥିବା ନକଲି ଷ୍ଟିକର, ନକଲି ମଦ, ମଦ ବୋତଲ ଠିପି, ନିଶା ବଟିକା ଆଦି ଜବତ କରିଛି ବରଗଡ଼ ପୁଲିସ।

ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଆଶାକିରଣ ନିକଟରେ ରହୁଥିବା ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲାର ଦିହିରାଲକ ଗ୍ରାମର ଅବିନାଶ କୁମାର ଗୁପ୍ତା ଦୀର୍ଘ ଦିନ ହେବ ସେଠାରେ ନକଲି ବିଦେଶୀ ମଦ ତିଆରି କରିଆସୁଥିଲେ। ଏଥିରେ ବଲାଙ୍ଗିରରେ ରହୁଥିବା ଝାରଖଣ୍ଡ ରାଜ୍ୟ ପାଲାମୁ ଜିଲ୍ଲାର ଶତୃଘ୍ନ ପ୍ରସାଦ ଗୁପ୍ତା ସହଯୋଗ କରୁଥିଲା।

ଏହି ପରିପ୍ରେକ୍ଷୀରେ ଅବିନାଶର ଅତାବିରାରେ ଥିବା ଢ଼ାବା ଜରିଆରେ ଏହି ନକଲି ମଦ ଯୋଗାଣ ହେଉଥିବା ବରଗଡ଼ ଆରକ୍ଷୀ ଅଧିକ୍ଷୀକା ପଦ୍ମିନୀ ସାହୁ କହିଛନ୍ତି। ତେବେ ଗତକାଲି କୌଣସି ସୂତ୍ରରୁ ଖବରପାଇ ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୁଝାରୀଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି ।