ବେଧଡ଼କ ଚାଲିଛି ପଥର ବ୍ଲାଷ୍ଟିଂ, ନୀରବଦ୍ରଷ୍ଟା ସାଜିଛି ବନ ବିଭାଗ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ମାଓପ୍ରବଣ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ଚାଲିଛି । ଦୀର୍ଘ ଦିନ ଧରି ପାହାଡ଼ରେ ପଥର ବ୍ଲାଷ୍ଟିଂ ଜାରି ରହିଥିଲେ ମଧ୍ୟ ବନ ବିଭାଗ କିମ୍ବା ରାଜସ୍ୱ ବିଭାଗ ନୀରବ ରହିବାକୁ ନେଇ ପ୍ରଶ୍ନ ଉଠିଛି । ଏଭଳି ଘଟଣା ବାଲିଗୁଡ଼ା ଉପଖଣ୍ଡ ତୁମୁଡ଼ିବନ୍ଧ ରେଞ୍ଜ ଅନ୍ତର୍ଗତ କୁଟିଗୁଡ଼ା-ବାଲିଗାଡ଼ା ରାସ୍ତାରେ ଥିବା ସଂରକ୍ଷିତ ଜଙ୍ଗଲରେ ଦିନ ଦ୍ୱିପହରରେ ଦେଖିବାକୁ ମିଳିଛି । ଫଳରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡ଼ିଥିବା ବେଳେ ଶତାଧିକ ଗଛ ନଷ୍ଟ ହେଉଛି । ବନ ବିଭାଗ ଓ ରାଜସ୍ୱ ବିଭାଗ ମୋଟା ଅଙ୍କର ଅର୍ଥ ନେଇ ନିରବ ରହିଥିବା ଅଭିଯୋଗ ହୋଇଛି । ୨ଟି ଟ୍ରାକ୍ଟର ଜଙ୍ଗଲ ମଧ୍ୟରେ ପ୍ରବେଶ କରି ପାହାଡ଼ ଉପରକୁ ଯାଇ ଡ୍ରିଲିଂ ମେସିନ ସାହାଯ୍ୟରେ ପଥରକୁ ନଷ୍ଟ କରାଯାଉଛି । ରାତିରେ ପଥର ବ୍ଲାଷ୍ଟିଂ କରାଯାଉଥିବା ଯୋଗୁ ଅଞ୍ଚଳବାସୀ ସାଙ୍ଗକୁ ବନ୍ୟଜନ୍ତୁ ଭୟଭୀତ ହୋଇ ଚାଲି ଯାଉଛନ୍ତି । ଉକ୍ତ ଅଞ୍ଚଳଟି ମାଓ ପ୍ରବଣ ହୋଇଥିବରୁ ପଥର ବ୍ଲାଷ୍ଟିଂ ପାଇଁ ଜିଲୋଟିନ ବାରୁଦ ବ୍ୟବହାର କିପରି କରାଯାଉଛି । ସେଠାକୁ ଜିଲୋଟିନ ବାରୁଦ କେଉଁଠାରୁ କେମିତି ଆସୁଛି, ବ୍ୟବହାର କରିବା ପାଇଁ କିଏ ଅନୁମତି ଦେଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଜିଲୋଟିନ ଯଦି ମାଓବାଦୀଙ୍କ ହାତରେ ପଡ଼େ ତେବେ ବଡ଼ ଅଘଟଣକୁ ଏଡ଼ାଇ ଦିଆନଯାଇପାରେ ।