ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅନ୍ତର୍ଗତ କୈଳାସ ଗ୍ରାମରୁ ଦେବଗଡ଼ ଥାନା ପୁଲିସ ୨ଟି ଗୁଳି ଭର୍ତ୍ତି ଥିବା ବନ୍ଧୁକ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡିଛି। ଏନେଇ ଆଜି ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଦେବଗଡ଼ ଥାନା ଅନ୍ତର୍ଗତ କୈଳାଶ ଗ୍ରାମର ଦୁଲାଲ ରଣା (୪୫)ନାମକ ଜଣେ ବ୍ୟକ୍ତି ନିଜ ଘରେ ବେଆଇନ ଭାବେ ବନ୍ଧୁକ ରଖିଥିବା ନେଇ ପୁଲିସ ବିଶସ୍ତ ସୂତ୍ରରୁ ସୂଚନା ପାଇଥିଲା। ପରେ ଏସପି ଶ୍ରୀ ପାଇକରାୟଙ୍କ ନିର୍ଦ୍ଦେଶରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ସ୍ପେସିଆଲ ସ୍କ୍ୱାର୍ଡ ସହ ଗତକାଲି ଦୁଲାଲଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଦୁଲାଲଙ୍କ ଘରୁ ୨ଟି ଗୁଳି ଭର୍ତ୍ତି ବେଆଇନ ବନ୍ଧୁକ ଜବତ କରିବା ସହ ଦୁଲାଲଙ୍କୁ ଗିରଫ କରିଥିଲେ। ପୂର୍ବରୁ ଉକ୍ତ ଅଂଚଳ ମାଓପ୍ରବଣ ଥିବାରୁ ବନ୍ଧୁକ କେଉଁଠୁ ଆସିଲା ଏବଂ କେଉଁ ଉଦ୍ଦେଶ୍ୟରେ ଦୁଲାଲ ବେଆଇନ ବନ୍ଧୁକ ରଖିଥିଲା ସେନେଇ ସ୍ପେଶାଲ ସ୍କ୍ୱାର୍ଡ ପଚରାଉଚୁରା କରିବା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡିଏସପି ପ୍ରଦୀପ କୁମାର କେର୍କେଟା, ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ମାମଲାର ତଦନ୍ତ ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ ଉପସ୍ଥିତ ଥିଲେ।