ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଲେ ୟୁଟ୍ୟୁବର

  • ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ୨୩ ତାରିଖ ଯାଏଁ ତାଙ୍କୁ ପୁଲିସ ହେପାଜତରେ ରଖାଯାଇଛି। ଏଭଳି ସ୍ଥିତିରେ ଖୋଲିବାରେ ଲାଗିଛି କୁନ୍ଦ୍ରାଙ୍କ ପାପର ପେଡ଼ି। ରାଜ କୁନ୍ଦ୍ରାଙ୍କ ବିରୋଧରେ ସାମ୍ନାକୁ ଆସିଛନ୍ତି ୟୁଟ୍ୟୁବର ପୁନିତ କୌର।
    ମଡେଲ ପରେ ୟୁଟ୍ୟୁବର। ଗିରଫ ରାଜ କୁନ୍ଦ୍ରାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ସହ ତାଙ୍କର ପୋଲ୍ ଖୋଲିଛନ୍ତି ପୁନୀତ କୌର। ସେ କହିଛନ୍ତି, ରାଜ କୁନ୍ଦ୍ରା ନିଜ ଆପ୍ ହଟସଟ୍ ପାଇଁ ତାଙ୍କୁ ସିଧାସଳଖ ମେସେଜ୍ କରିଥିଲେ। ଇନଷ୍ଟା ଷ୍ଟୋରୀରେ ପୁନୀତ ଲେଖିଛନ୍ତି, ବ୍ରୋ ତୁମକୁ କ’ଣ ସେହି ଭିଡିଓ ମନେ ଅଛି, ଯେଉଁଥିରେ ରାଜ କୁନ୍ଦ୍ରା ନିଜ ଆପ୍ ହଟସଟ୍ ପାଇଁ ମୋ ସହ ସମ୍ପର୍କ କରିଥିଲେ।
    ଦ୍ୱିତୀୟ ପୋଷ୍ଟରେ ପୁନୀତ ରାଜ କୁନ୍ଦ୍ରାଙ୍କ ଉପରେ ଟିପ୍ପଣୀ ଦେଇ ଲେଖିଛନ୍ତି, ସେ ଭାବି ପାରୁନାହାନ୍ତି କୁନ୍ଦ୍ରାଙ୍କ ଭଳି ଜଣେ ମଣିଷ ଲୋକଙ୍କ ଭାବନା ସହ ଖେଳୁଥିଲା। ସେତେବେଳେ ତାଙ୍କୁ ଏହା ଏକ ସ୍କାମ ଭଳି ଲାଗିଥିଲା। କାରଣ ରାଜ କୁନ୍ଦ୍ରା ନିଜେ ତାଙ୍କୁ ସିଧାସଳଖ ମେସେଜ୍ କରିଥିଲେ। ଏଭଳି ମଣିଷ ଜେଲରେ ହିଁ ରହିବା ଦରକାର ବୋଲି ଲେଖିଛନ୍ତି ପୁନୀତ।
    ପୁନୀତଙ୍କ ପୂର୍ବରୁ ଅଭିନେତ୍ରୀ ସାଗରିକା ସୋନା ସୁମନ ରାଜ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ।