ବେଆଇନ ଗୋରୁ ଚାଲାଣ ଘଟଣା, ଅଭିଯୁକ୍ତକୁ ବାଡେଇ ୫ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗୁରୁବାର ଭୋରରେ ବେଲପାହାଡ଼ ଅଞ୍ଚଳରେ ହେଉଥିବା ଗୋରୁ ଚାଲାଣକୁ ବଜରଙ୍ଗୀ ଦଳର ସଦସ୍ୟମାନେ ରୋକି ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ପୁଲିସ ନିକଟରେ ଜମା ଦେଇଥିଲେ। ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋପାଲ ରୋହିଦାସକୁ କୋର୍ଟଚାଲାଣ କରିବା ସହ ନାବାଳକଙ୍କୁ ସେମାନଙ୍କ ଘରକୁ ପଠାଇଥିଲା। ତେବେ ବଜରଙ୍ଗୀ ଦଳ ପକ୍ଷରୁ ଗୋ’ ଚାଲାଣକୁ ରୋକାଯାଇଥିବା ସମୟରେ କିଛି ଯୁବକ ଅଭିଯୁକ୍ତ ଗୋପାଲକୁ ନିର୍ଧୁମ ପିଟିବା ସହ ତା ମୋବାଇଲ ଓ ଟଙ୍କା ଲୁଟି ନେଇଥିଲେ। ଏନେଇ ଥାନାରେ ଗୋପାଲ ଅଭିଯୋଗ କରିବା ପରେ ପୁଲିସ ଝଣ୍ଡାପଡ଼ାର ବାପି ମହାକୁଡ଼, ଦେବାଶିଷ ଜାଲ, ଫିରୋଜ ସୁନା, ଓମ ମୁଖୀ, ରୋଶନ ବାଗକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରକାଶ ଯୋଗ୍ୟ ଯେ, ଗୁରୁବାର ଭୋରରେ ଧୁରୁଆଡିହି ଅଞ୍ଚଳର ଗୋପାଲଙ୍କ ସହ ୩ ଜଣ ନାବାଳକ କର୍ପାବାହଲରୁ ୨ ଗାଈ, ସାହାଜବାହାଲରୁ ୪ ଗାଈ ଓ ପୁଡାପାଲିରୁ ୩ଟି ଗାଈ ନେଇ ବେଆଇନ ଭାବରେ ଚାଲାଣ କରୁଥିଲେ। ଏନେଇ ଖବରପାଇ ବଜରଙ୍ଗୀ ଦଳର ସଦସ୍ୟ ତଥା ସ୍ଥାନୀୟ ଲୋକେ ସେମାନଙ୍କୁ ସ୍ଥାନୀୟ କୁଶ ପଟ୍ଟନାୟକ ଛକରେ ଅଟକ ରଖି ପୁଲିସକୁ ଜିମା ଦେଇଥିଲେ।