୧୮ ମେଟ୍ରିକ ଟନ୍ ଚୋରା କୋଇଲା ଜବତ, ୪ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ଖୋଲାମୁହଁ କୋଇଲା ଖଣିକ୍ଷେତ୍ରରୁ ଚୋରି ହୋଇଥିବା ୧୮ ମେଟ୍ରିକ ଟନ କୋଇଲାକୁ ଲଖନପୁର ପୁଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଧର୍ମେନ୍ଦ୍ର ସିଂ(୨୮), କମଲେଶ ସିଂ(୨୭), ଅଜୟ ସିଂ(୪୦) ଓ ସରୋଜ କୁମାର(୧୯)।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଲଖନପୁର ଖୋଲାମୁହଁ କୋଇଲା ଖଣିରୁ କୋଇଲା ଚୋରି କରି କୁଶ୍ରାଲୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲେଛୁଆପଡ଼ା ଜଙ୍ଗଲରେ ଗଚ୍ଛିତ କରି ରଖିବାସହ ସେଠାରୁ ବିଭିନ୍ନ ସ୍ଥାନକୁ ବେଆଇନ ଚାଲାଣ କରୁଥିଲେ।

କୌଣସି ସୂତ୍ରରୁ ଖବରପାଇ ଲଖନପୁର ପୁଲିସ ଏସଆଇ ଗଣେଶ ରାମ ସା ଏବଂ ଏକ ଦଳ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଅଭିଯୁକ୍ତମାନେ ସେଠାରେ ୧୪ ମେଟ୍ରିକ ଟନ କୋଇଲା ବୋଝେଇ ଥିବା ଟ୍ରକ(ସିଜି-୧୩ଡି-୨୯୮୩) ଓ ୪ ମେଟ୍ରିକ ଟନ୍ କୋଇଲା ବୋଝେଇଥିବା ଟ୍ରକ(ଓଆର-୦୫ଏଡି-୮୯୭୩)କୁ ଛାଡି ଫେରାର ହେବାକୁ ଉଦ୍ୟମ କରୁଥିଲେ। ସେଥିରୁ ପୁଲିସ ୪ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ଦୁଇ ଟ୍ରକକୁ ଜବତ କରିଛି। ଏଥିସହ ପୁଲିସ କେଶ ନମ୍ବର ୧୯୭ରେ ୩୭୯/୪୧୧/୧୨୦(ବି) ଦଫା ଲଗାଇ ତଦନ୍ତ ଚଲାଇଛି। ସେହିପରି ଏହି ଘଟଣାରେ ଜଡିତ ଥିବା କୋଇଲା ମାଫିଆଙ୍କୁ ଧରିବା ପାଇଁ ବ୍ରଜରାଜନଗର ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଖୋଳତାଡ଼ ଜାରି ରଖିଛି।