ୟୁକ୍ରେନକୁ ବଡ ଆଶ୍ବସ୍ତି, ଋଷକୁ ଯୁଦ୍ଧ ବନ୍ଦ ପାଇଁ ICJର ନିର୍ଦ୍ଦେଶ

କିଭ,ଏଜେନ୍ସି: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ପୁଣି ୟୁକ୍ରେନରୁ ବଡ ଆଶ୍ବସ୍ତି ମିଳିଛି। ଋଷକୁ ଯୁଦ୍ଧ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲା ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ(ICJ)। ICJରେ ଏହି ମାମଲାର ଶୁଣାଣି ସମୟରେ ୧୩-୨ ଭୋଟରେ ଏହି ରାୟ ପ୍ରକାଶ ପାଇଛି। କିଛି ଦିନ ତଳେ ଋଷ ଆକ୍ରମଣରେ ସାଧାରଣ ୟୁକ୍ରେନୀୟଙ୍କୁ ଟାର୍ଗେଟ କରାଯାଉଥିବା ଦର୍ଶାଇ ମାନବାଧିକାର ଉଲଙ୍ଘନ ଓ ବର୍ବରତା ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଦ୍ବାରସ୍ଥ ହୋଇଥିଲା ୟୁକ୍ରେନ।

ତେବେ ଉଲ୍ଲେଖନୀୟ କଥା ହେଉଛି, ଫେବୃଆରୀ ୨୪ରେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅନ୍ତର୍ଜାତୀୟ ଅଦାଲତ ଦ୍ବାରା ଦିଆଯାଇଥିବା ଏହା ହେଉଛି ପ୍ରଥମ ରାୟ। ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଆଇସିଜେରେ ଋଷ ବିରୋଧରେ ଏପରି ରାୟ ଆସିବା ପରେ ଏହା ହେଉଛି ୟୁକ୍ରେନର ସମ୍ପୂର୍ଣ୍ଣ ବିଜୟ ହାସଲ।

ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ କୋର୍ଟରେ ଏହି ପ୍ରସଙ୍ଗରେ ଋଷ ଆକ୍ରମଣକୁ ନିନ୍ଦା କରାଯାଇଛି। ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହି ନିର୍ଦ୍ଦେଶ ବାଧ୍ୟତାମୂଳକ ଅଟେ। ରୁଷ ତୁରନ୍ତ ପାଳନ କରିବାକୁ ବାଧ୍ୟ ବୋଲି ମଧ୍ୟ ସେ ପୋଷଣ କରିଛନ୍ତି। ତେବେ ଦେଖିବାର କଥା ଯେ ତମାମ ଅନ୍ତର୍ଜାତୀୟ କଟକଣାକୁ ଖାତିର ନକରି ଯୁଦ୍ଧ ଜାରି ରଖିଥିବା ଋଷ ଏହି ନିର୍ଦ୍ଦେଶକୁ କିପରି ପାଳନ କରୁଛି।