ମହିଳା ଟି୨୦ ବିଶ୍ବକପ୍‌: ଚମକିଲେ ଭାରତର ଝିଅ, ୭ ୱିକେଟରେ ହାରିଲା ପାକିସ୍ତାନ

ହାଇଦ୍ରାବାଦ,ଏଜେନ୍ସି: ଦକ୍ଷିଣ ଆଫ୍ରିକାରେ ଜାରି ରହିଥିବା ମହିଳା ଟି୨୦ ବିଶ୍ବକପ୍‌ରେ ରବିବାର ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ । ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା ପାକିସ୍ତାନ ମହିଳା ଦଳ । ୧୫୦ ରନ ବିଜୟ ଲକ୍ଷ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ ଅପରାଜିତ ରହି ୩୮ଟି ବଲ୍‌ରୁ ୮ଟି ଚୌକା ସହ ସର୍ବାଧିକ ୫୩ ରନ୍‌ ସଂଗ୍ରହ କରିଥିଲେ ।

ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ପାକିସ୍ତାନ ଅଧିନାୟିକା ବିସମା ମାରୁଫଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୪୯ ରନ୍‌ରେ ପହଞ୍ଚିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିଥିଲା ପାକିସ୍ତାନ । ଏହାପରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ପାଳି ଆରମ୍ଭ କରିଥିଲା । ପ୍ରାରମ୍ଭିକ ବ୍ୟାଟର ୟାସ୍ତିକା ଭାଟିଆ ୨୦ ବଲରୁ ୧୭ ରନ୍‌, ଶେଫାଳି ବର୍ମା ୨୫ ବଲରୁ ୩୩ ରନ୍‌ ଓ ଅଧିନାୟିକା ହରମନପ୍ରୀତ କୌର ୧୨ ବଲରୁ ୧୬ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ । ତେବେ ଜେମିମା ଓ ରିଚା ଘୋଷ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତକୁ ବିଜୟ ଉପହାର ଦେଇଥିଲେ ।