ଦୁବାଇ,ଏଜେନ୍ସି: ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ସପ୍ତମ ସ୍ଥାନକୁ ଖସିଆସିଛନ୍ତି । ଅନ୍ୟପକ୍ଷରେ ଚଳିତ ଆଶେସ୍ ସିରିଜ୍ରେ ଜବରଦସ୍ତ ପ୍ରଦର୍ଶନ ଫଳରେ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁଶେନ୍ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ଙ୍କୁ ହଟାଇ ବିଶ୍ୱର ନୂଆ ନମ୍ବର ଏକ ହୋଇଛନ୍ତି । ତେବେ ରୋହିତ ଶର୍ମା ୫ମ ସ୍ଥାନରେ ପୂର୍ବପରି ସ୍ଥିର ରହିଛନ୍ତି । ବୋଲର୍ଙ୍କ ମଧ୍ୟରେ ଭାରତୀୟ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ପୂର୍ବରୁ ଷ୍ଠଷ୍ଠ ସ୍ଥାନରେ ରହି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିଥିବା କୋହଲି ବର୍ତ୍ତମାନ ୭୫୬ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଦୁଇଟି ଆଶେସ୍ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଲାବୁଶେନ୍ କ୍ୟାରିୟର୍ ବେଷ୍ଟ ୯୧୨ ପଏଣ୍ଟ ସହ ପ୍ରଥମ ଥର ପାଇଁ ଶୀର୍ଷରେ ପହଞ୍ଚିଛନ୍ତି । ଆଶେସ୍ ସିରିଜ୍ ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା ଲାବୁଶେନ୍ ବ୍ରିସ୍ବେନ୍ ଟେଷ୍ଟରେ ୭୪ ରନ୍ କରିବା ଫଳରେ ଦୁଇଟି ସ୍ଥାନର ଉନ୍ନତି ସହ ଦ୍ୱିତୀୟକୁ ଉଠିଥିଲେ । ଆଡିଲେଡ୍ରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ (୧୦୩ ଓ ୫୧) ସ୍କୋର୍ କରିଥିଲେ । ଏହା ତାଙ୍କୁ କ୍ୟାରିୟର୍ରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚାଇବାରେ ସହାୟତା କରିଛି । ତାଙ୍କର ଏହି ପ୍ରଦର୍ଶନ ଫଳରେ ଅଷ୍ଟ୍ରେଲିଆ ୨୭୫ ରନ୍ରେ ଇଂଲଣ୍ଡକୁ ହରାଇ ୨-୦ରେ ସିରିଜ୍ ଆଗୁଆ ହୋଇଥିଲା । ଆଶେସ୍ ବିପର୍ଯ୍ୟୟ ଫଳରେ ରୁଟ୍ ୮୯୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲେ ।
ଅନ୍ୟପକ୍ଷରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ୪ଟି ୱିକେଟ୍ ସହ ୮୦ ରନ୍ ଦେଇ ମୋଟ ୬ଟି ୱିକେଟ୍ ହାସଲ କରିବା ପରେ ଲାବୁଶେନ୍ଙ୍କ ଟିମ୍ ସାଥୀ ମିଚେଲ୍ ଷ୍ଟାର୍କ ବୋଲିଂ ର୍ୟାଙ୍କିଙ୍ଗ୍ର ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି । ସେ ୯ମ ସ୍ଥାନକୁ ଉଠିଛନ୍ତି । ତାଙ୍କର ଏହି ପ୍ରଦର୍ଶନ ଫଳରେ ଇଂଲଣ୍ଡ ପ୍ରଥମ ଇନିଂସ୍ ୨୩୬ ରନ୍ରେ ସୀମିତ ହୋଇଯାଇଥିଲା ।
ସେହିପରି ଟି-୨୦ ର୍ୟାଙ୍କିଙ୍ଗ୍ର ବ୍ୟାଟିଂ ତାଲିକାରେ ପାକିସ୍ତାନ ଅଧିନାୟକ ବାବର୍ ଆଜମ୍ ଗୋଟିଏ ସପ୍ତାହ ପରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍ରେ ଯଥାକ୍ରମେ ଶୂନ୍ୟ ଓ ୭ ରନ୍ ସ୍କୋର୍ କରିବା ପରେ ଗତ ସପ୍ତାହରେ ସେ ଦୁଇଟି ସ୍ଥାନ ତଳକୁ ଖସି ନଂ୩ରେ ପହଞ୍ଚିଥିଲେ । ଅନ୍ତିମ ମ୍ୟାଚ୍ରେ ୭୯ ରନ୍ ସ୍କୋର୍ କରିବା ଫଳରେ ବର୍ତ୍ତମାନ ତାଙ୍କ ର୍ୟାଙ୍କିଙ୍ଗ୍ରେ ଦୁଇଟି ସ୍ଥାନର ଉନ୍ନତି ଘଟିବା ସହ ସେ ଇଂଲଣ୍ଡର ଡାୱିଡ୍ ମାଲାନ୍ଙ୍କ ସହ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ।
ତାଙ୍କ ଓପ୍ନିଂ ଯୋଡ଼ିଦାର ମହମ୍ମଦ ରିଜ୍ୱାନ୍ କ୍ୟାରିୟର୍ ବେଷ୍ଟ ୭୯୮ ପଏଣ୍ଟ ସହ ନଂ୩କୁ ଉଠିଛନ୍ତି । ଭାରତୀୟଙ୍କ ମଧ୍ୟରେ ପଞ୍ଚାମ ସ୍ଥାନରେ ଥିବା ସୀମିତ ଓଭର୍ ଟିମ୍ର ନୂଆ ଉପଅଧିନାୟକ କେଏଲ୍ ରାହୁଲ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଶୀର୍ଷ ୧୦ରେ ରହିଛନ୍ତି । ତେବେ ଟି-୨୦ ବୋଲିଂ ତାଲିକାର ଶୀର୍ଷ ୧୦ରେ କୌଣସି ଭାରତୀୟ ନାହାନ୍ତି ।