ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇ ବ୍ରୋଞ୍ଜ୍ ଜିତିଲା ଭାରତ

ଢାକା,ଏଜେନ୍ସି: ଏଠାରେ ଚାଲିଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ବୁଧବାର ଉଦ୍‌ଯାପିତ ହୋଇଥିବା ବେଳେ ଏଥିରେ ଗତ ସଂସ୍କରଣର ଯୁଗ୍ମ ଚାମ୍ପିଅନ୍ ଭାରତ ଓ ପାକିସ୍ତାନ ମଧ୍ୟରେ ବ୍ରୋଞ୍ଜ୍ ପଦକ ପାଇଁ ଲଢ଼େଇ ହୋଇଥିଲା । ଏଥିରେ ଦୁଇ ଦଳ ୭ଟି ଗୋଲ୍ କରିଥିବା ବେଳେ ଭାରତ ୪ଟି ଗୋଲ୍ କରି ବ୍ରୋଞ୍ଜ୍ ପଦକ ହାସଲ କରିଛି । ଅନ୍ୟପକ୍ଷରେ ୩-୪ ଗୋଲ୍‌ରେ ପରାସ୍ତ ହୋଇ ପାକିସ୍ତାନ ଶୂନ୍ୟ ହସ୍ତରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି । ଭାରତ ପକ୍ଷରୁ ହରମନପ୍ରୀତ୍ ସିଂହ, ସୁମିତ, ବରୁନ୍ କୁମାର ଓ ଆକାଶଦୀପ ଗୋଲ୍‌ଗୁଡ଼ିକ ସ୍କୋର୍ କରିଥିବା ବେଳେ ପାକିସ୍ତାନ ପାଇଁ ଅରଫରାଜ୍‌, ଅବଦୁଲ୍ ରାଣା ଓ ନଦୀମ୍ ଗୋଲ୍ ଦେଇଥିଲେ ।

ମ୍ୟାଚ୍‌ର ପ୍ରାରମ୍ଭରୁ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ଫଳସ୍ୱରୂପ ପ୍ରଥମ କ୍ୱାର୍ଟରର ପ୍ରଥମ ମିନିଟ୍‌ରେ ହିଁ ଦଳକୁ କ୍ରମାଗତ ଭାବେ ୪ଟି ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲା । ଚତୁର୍ଥ ପେନାଲ୍‌ଟି କର୍ଣ୍ଣର୍‌ରୁ ଗୋଲ୍ ସ୍କୋର୍ କରି ହରମନପ୍ରୀତ୍ ଭାରତକୁ ଅଗ୍ରଣୀ କରାଇଥିଲେ । ଏହି ପ୍ରତିଯୋଗିତାରେ ହରମନପ୍ରୀତ୍‌ଙ୍କର ଏହା ଅଷ୍ଟମ ଗୋଲ୍ ଥିଲା । ତେବେ ଏକାଦଶ ମିନିଟ୍‌ରେ ଅରଫରାଜ୍ ଗୋଲ୍‌ଟିକୁ ଶୁଝାଇ ସ୍ଥିତିକୁ ପ୍ରଥମ କ୍ୱାର୍ଟର୍ ଶେଷ ସୁଦ୍ଧା ବରାବର କରିଥିଲେ । ଦ୍ୱିତୀୟ କ୍ୱାର୍ଟର୍‌ରେ କୌଣସି ଗୋଲ୍ ହୋଇ ନ ଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ୩୩ତମ ମିନିଟ୍‌ରେ ପାକିସ୍ତାନ ୨-୧ରେ ଆଗୁଆ ହୋଇଥିଲା । ଦଳ ପାଇଁ ଦ୍ୱିତୀୟ ଗୋଲ୍‌ଟି ରାଣା ସ୍କୋର୍ କରି ଏହି ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ । କିନ୍ତୁ ତୃତୀୟ କ୍ୱାର୍ଟର୍‌ର ଶେଷ ମିନିଟ୍‌ରେ ସୁମିତ୍ ଏକ ଚମତ୍କାର ଫିଲ୍‌ଡ ଗୋଲ୍ ଦେବା ଫଳରେ ଭାରତ ସ୍ଥିତିକୁ ୨-୨ରେ ବରାବର କରିଥିଲା । ଦୁଇ ଦଳ ଶେଷ କ୍ୱାର୍ଟର୍‌ରେ ପରସ୍ପରକୁ ପଛରେ ପକାଇବାକୁ ଭରପୂର ଉଦ୍ୟମ କରିଥିଲେ ।

୫୩ତମ ମିନିଟ୍‌ରେ ଭାରତକୁ ଏଥିରେ ସଫଳତା ମଧ୍ୟ ମିଳିଥିଲା । ବରୁନ୍ କୁମାର ପେନାଲ୍‌ଟି କର୍ଣ୍ଣର୍‌ରୁ ଗୋଲ୍ ଦେଇ ଭାରତକୁ ୩-୨ରେ ଆଗୁଆ କରାଇଥିଲେ । ୫୭ତମ ମିନିଟ୍‌ରେ ଆକାଶଦୀପଙ୍କ ଫିଲ୍‌ଡ ଗୋଲ୍ ମାଧ୍ୟମରେ ଭାରତ ୪-୨ରେ ଅଗ୍ରଣୀ ରହିଥିଲା । ସମାନ ମିନିଟ୍‌ରେ ଯଦିଓ ପାକିସ୍ତାନ ପକ୍ଷରୁ ନଦୀମ୍ ତୃତୀୟ ଗୋଲ୍ ଦେଇ ବ୍ୟବଧାନକୁ ୩-୪କୁ ହ୍ରାସ କରିଥିଲେ, କିନ୍ତୁ ଏହାପରେ ସ୍ଥିତିକୁ ବରାବର କରିବାରେ ଦଳ ସଫଳ ହୋଇ ନ ଥିଲା । ତେଣୁ ଭାରତ ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ଥର ପାକିସ୍ତାନକୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଥିଲା । ପୂର୍ବରୁ ଲିଗ୍ ମ୍ୟାଚ୍‌ରେ ମଧ୍ୟ ଭାରତ ପାକିସ୍ତାନକୁ ୩-୧ରେ ପରାସ୍ତ କରିଥିଲା । ଭାରତୀୟ ଦଳର ଅଧିନାୟକ ମନପ୍ରୀତ୍ ସିଂହ ଦଳ ପାଇଁ କୌଣସି ଗୋଲ୍ କରି ନ ଥିଲେ ମଧ୍ୟ ଉତ୍ତମ ସହଯୋଗ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।