ଦୁବାଇ,ଏଜେନ୍ସି: ବୁଧବାର ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗ୍ର ବ୍ୟାଟିଂ ତାଲିକାରେ ରୋହିତ ଶର୍ମା ଓ ବିରାଟ କୋହଲି ନିଜ ନିଜର ସ୍ଥାନରେ ସ୍ଥିର ଥିବାବେଳେ ବୋଲିଂରେ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ନିଜ ସ୍ଥାନ ବଜାୟ ରଖିଛନ୍ତି। ରୋହିତ ପଞ୍ଚମ, କୋହଲି ଷଷ୍ଠ ଏବଂ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଫାଷ୍ଟ ବୋଲର୍ ଜସ୍ପ୍ରୀତ୍ ବୁମ୍ରା ଗୋଟିଏ ସ୍ଥାନ ତଳକୁ ଖସି ଦଶମରେ ପହଞ୍ଚିଛନ୍ତି।
ଅଶ୍ୱିନଙ୍କ ବ୍ୟତୀତ ବାକି ତିନି ଖେଳାଳି ଡ୍ର’ ରହିଥିବା ନ୍ୟୁଜିଲାଣ୍ଡ ବିପକ୍ଷ କାନ୍ପୁର ଟେଷ୍ଟରେ ଖେଳି ନଥିଲେ। ଡେବ୍ୟୁ ଟେଷ୍ଟରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷିତ ଶ୍ରେୟସ ଆୟର୍ ୧୦୫ ଓ ୬୫ ରନ୍ର ଇନିଂସ୍ ଖେଳି ବ୍ୟାଟିଂ ରାଙ୍କିଙ୍ଗ୍ର ୭୫ ତମ ସ୍ଥାନରେ ରହିଛନ୍ତି। ଓପ୍ନିଂ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲ୍ ୫ ସ୍ଥାନର ଉନ୍ନତି ସହ ୬୬ ଏବଂ ଋଦ୍ଧିମାନ ସାହା ୯ ସ୍ଥାନର ଉନ୍ନତି ସହ ୯୯ତମ ସ୍ଥାନରେ ଅଛନ୍ତି। ବୋଲର୍ଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଦୁଇଟି ସ୍ଥାନର ଉନ୍ନତି ସହ ୧୯ତମ ସ୍ଥାନରେ ରହିଛନ୍ତି। ସେ ଅଲ୍ରାଉଣ୍ଡର୍ ତାଲିକାରେ ଗୋଟିଏ ସ୍ଥାନର ଉନ୍ନତି ସହ ଦ୍ୱିତୀୟରେ ପହଞ୍ଚିଛନ୍ତି। ଅଶ୍ୱିନ ଅଲ୍ରାଉଣ୍ଡ୍ଙ୍କ ମଧ୍ୟରେ ତୃତୀୟ ଏବଂ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ୭୯ତମ ସ୍ଥାନରେ ଅଛନ୍ତି। କାନପୁର ଟେଷ୍ଟରେ ୯୫ ଓ ୫୨ ରନ୍ର ଇନିଂସ୍ ଖେଳିଥିଲେ। ନ୍ୟୁଜିଲାଣ୍ଡର ଟମ୍ ଲାଥମ୍ ୧୪ରୁ ୯ମ ସ୍ଥାନରେ ପହଞ୍ଚିଛନ୍ତି। ବୋଲର୍ଙ୍କ ମଧ୍ୟରେ କାଇଲ ଜେମିସନ୍ ୯ମ ସ୍ଥାନକୁ ଉଠିଛନ୍ତି। ଉଭୟ ଇନିଂସ୍ରେ ୩-୩ ୱିକେଟ୍ ହାସଲ କରିଥିବା ଜେମିସନ୍ ୬ଟି ସ୍ଥାନର ଫାଇଦା ମିଳିଛି। ଅଶ୍ୱିନ (୮୪୦)ଙ୍କ ଠାରୁ ଗୋଟିଏ ପଏଣ୍ଟ ପଛରେ ଥିବା ଟିମ୍ ସାଉଦି ତୃତୀୟ ସ୍ଥାନରେ ଅଛନ୍ତି।
ଗଲ୍ରେ ଖେଳା ଯାଇଥିବା ଶ୍ରୀଲଙ୍କା-ୱେଷ୍ଟଇଣ୍ଡିଜ୍ ଏବଂ ଚଟଗ୍ରାମରେ ପାକିସ୍ତାନ ଓ ବାଂଲାଦେଶ ମ୍ୟାଚ୍ ଏହି ଅପ୍ଡେଟ୍ରେ ସାମିଲ ହୋଇଥିବା ବେଳେ ପାକିସ୍ତାନ ଫାଷ୍ଟ ବୋଲର୍ ଶାହିନ୍ ଆଫ୍ରିଦି ପ୍ରଥମ ଥର ପାଇଁ ବୋଲିଂ ତାଲିକାର ଶୀର୍ଷ ୫ରେ ପ୍ରବେଶ କରିଛନ୍ତି। ୨୧ ବର୍ଷୀୟ ବାମହାତୀ ବୋଲର ପ୍ରଥମ ଟେଷ୍ଟ ସାତଟି ୱିକେଟ୍ ନେବା ଫଳରେ ୩ଟି ସ୍ଥାନର ଉନ୍ନତି ସହ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ହସନ୍ ଅଲୀ ମଧ୍ୟ ୫ଟି ସ୍ଥାନର ଉନ୍ନତି ସହ ୧୧ଶରେ ପହଞ୍ଚିଛନ୍ତି। ୧୩୩ ଓ ୯୧ ରନ୍ କରିଥିବା ଆବିଦ୍ ଅଲୀ ୨୭ଟି ସ୍ଥାନର ଉନ୍ନତି ସହ ବ୍ୟାଟିଂ ତାଲିକାରେ କ୍ୟାରିୟର୍ ଶ୍ରେଷ୍ଠ ୨୦ତମ ଏବଂ ବାଂଲାଦେଶର ମୁଶଫିକୁର ରହିମ୍ ୪ଟି ସ୍ଥାନର ଉନ୍ନତି ସହ ୩୧ତମ ସ୍ଥାନରେ ପହଞ୍ଚିଛନ୍ତି।