ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଦ୍ୱାଦଶ ଏଫ୍ଆଇଏଚ୍ ଓଡ଼ିଶା ଜୁନିୟର୍ ପୁରୁଷ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ। ଆୟୋଜକ ଦଳ ବୁଧବାର ଖେଳାଯାଇଥିବା ପ୍ରତିଯୋଗିତାର ଚତୁର୍ଥ କ୍ୱାର୍ଟର୍ ଫାଇନାଲ୍ରେ ବେଲଜିୟମ୍କୁ ୧-୦ ଗୋଲ୍ରେ ହରାଇ ଟାଇଟଲ୍ ବଜାୟ ରଖିବା ଦିଗରେ ଆଉ ପାଦେ ଆଗେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଏକମାତ୍ର ଗୋଲ୍ଟି ଶାରଦାନନ୍ଦ ତିୱାରୀ ଦ୍ୱିତୀୟ କ୍ୱାର୍ଟର୍ରେ ମ୍ୟାଚ୍ର ବିଂଶତମ ମିନିଟ୍ରେ ସ୍କୋର୍ କରିଥିଲେ। ପ୍ରଥମାର୍ଦ୍ଧ ଖେଳଟି ଗୋଲ୍ଶୂନ୍ୟ ଭାବେ ଶେଷ ହେବା ପରେ ଦ୍ୱିତୀୟାର୍ଦ୍ଧରେ ଭାରତକୁ ମିଳିଥିବା ମ୍ୟାଚ୍ର ପ୍ରଥମ ପେନାଲ୍ଟି କର୍ଣ୍ଣର୍ରୁ ଶାରଦାନନ୍ଦ ଏହି ଗୋଲ୍ଟି ଦେଇ ଭାରତକୁ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ପ୍ରଦାନ କରିଥିଲେ।
ଏହାପରେ ବାକି ୪୦ ମିନିଟ୍ର ଖେଳରେ ବେଲଜିୟମ୍ ସ୍ଥିତି ବରାବର କରିବା ସକାଶେ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଭାରତ ତା’ର ଅଗ୍ରଣୀକୁ ବଜାୟ ରଖି ଶେଷ ୪ ଟିମ୍ରେ ସ୍ଥାନ ପାଇଛି। ଏହା ପୂର୍ବରୁ ଖେଳାଯାଇଥିବା ପ୍ରଥମ ତିନିଟି କ୍ୱାର୍ଟର୍ ଫାଇନାଲ୍ରେ ଜର୍ମାନୀ, ଆର୍ଜେଣ୍ଟିନା ଓ ଫ୍ରାନ୍ସ ଯଥାକ୍ରମେ ସ୍ପେନ୍, ନେଦରଲାଣ୍ଡ୍ସ ଓ ମାଲେସିଆକୁ ହରାଇ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ଆସନ୍ତା ୩ ତାରିଖରେ ପ୍ରଥମ ସେମିରେ ଆର୍ଜେଣ୍ଟିନା ଜର୍ମାନୀକୁ ଓ ଦ୍ୱିତୀୟ ସେମିରେ ଭାରତ ଫ୍ରାନ୍ସକୁ ଭେଟିବ।