ଆଇସିସି ଦିନିକିଆ ରାଙ୍କିଙ୍ଗ୍, ଶୀର୍ଷ ୨ରେ କୋହଲି ଓ ରୋହିତ

ଦୁବାଇ,ଏଜେନ୍ସି: ମଙ୍ଗଳବାର ଆଇସିସି ଦିନିକିଆ ରାଙ୍କିଙ୍ଗ୍ ପ୍ରକାଶ ପାଇଥିବାବେଳେ ବ୍ୟାଟ୍ସମ୍ୟାନ୍ ତାଲିକାରେ ଭାରତର ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ବଜାୟ ରହିଛନ୍ତି। ସେହିପରି ଦିନିକିଆ ବୋଲର୍ ସୂଚୀରେ ଭାରତୀୟ ପେସର୍ ଯଶପ୍ରୀତ୍ ବୁମରା ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। କୋହଲି ୮୭୧, ରୋହିତ ୮୫୫ ଓ ପାକିସ୍ତାନର ବାବର୍ ଆଜମ୍ ୮୨୯ ସହ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ବୋଲର୍ ତାଲିକାରେ ୭୨୨ ପଏଣ୍ଟ୍ ସହ ଟ୍ରେଣ୍ଟ୍ ବୋଲ୍ଟ ପ୍ରଥମ, ୭୧୯ ପଏଣ୍ଟ୍ ସହ ବୁମରା ଦ୍ୱିତୀୟ ଓ ୭୦୧ ପଏଣ୍ଟ୍ ସହ ଆଫଗାନୀ ସ୍ପିନର୍ ମୁଜିବୁର୍ ରହମାନ୍ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି ଶୀର୍ଷ ୧୦ ଅଲରାଉଣ୍ଡର୍ ସୂଚୀରେ ଭାରତର ଏକମାତ୍ର ଖେଳାଳି ରବୀନ୍ଦ୍ର ଜାଡେଜା ଅଷ୍ଟମରେ ରହିଛନ୍ତି। ଆଫଗାନିସ୍ତାନର ମହମ୍ମଦ ନବୀ ଶୀର୍ଷରେ ରହିଥିବା ବେଳେ ତାଙ୍କ ପଛରେ ଇଂଲିଶ୍ ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ରହିଥିବା ଜଣାପଡ଼ିଛି। ଆସନ୍ତା ୩୦ ତାରିଖରୁ କରୋନା ପରବର୍ତ୍ତୀ ପ୍ରଥମ ଦିନିକିଆ ସିରିଜ୍ ଖେଳାଯିବାକୁ ଥିବାରୁ ଏଥିରେ ଭାଗ ନେଉଥିବା ଇଂଲଣ୍ଡ ଓ ଆୟର୍ଲାଣ୍ଡ୍ ଖେଳାଳିଙ୍କ ପାଖରେ ଆସନ୍ତା ସପ୍ତାହରେ ସ୍ଥିତି ସୁଧାରିବାର ସୁଯୋଗ ରହିଛି।