ଆଇସିସି ଶ୍ରେଷ୍ଠ ଟେଷ୍ଟ ଖେଳାଳି ଦୌଡରେ ଅଶ୍ବିନୀ

ଦୁବାଇ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ପାଇଁ ୪ ଜଣିଆ ତାଲିକା ପ୍ରକାଶ ପାଇଛି। ତାଲିକାରେ ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବନୀଙ୍କ ନାମ ସ୍ଥାନ ପାଇଛି। ଚେନ୍ନାଇର ଏହି ୩୫ ବର୍ଷୀୟ ଖେଳାଳି ୧ ବର୍ଷ ମଧ୍ୟରେ ୮ଟି ଟେଷ୍ଟ ମ୍ୟାଚରେ ୧୬.୨୩ ଆଭରେଜରେ ୫୨ଟି ୱିକେଟ ଅକ୍ତିଆର କରିଛନ୍ତି। ଆସନ୍ତା ଜାନୁଆରୀ ୨୪ରେ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ ସୂଚନା ମିଳିଛି।

୨୦୨୧ରେ ଅଶ୍ବନୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ୱିକେଟ ସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ରନ କରିଥିଲେ। ଗୋଟିଏ ଶତକ ସହ ୨୮.୦୮ ଆଭରେଜ ସହ ମୋଟ ୩୩୭ ରନ ସଂଗ୍ରହ କରଛନ୍ତି। ଟେଷ୍ଟରେ ଅନ୍ୟତମ ମ୍ୟାଚ ବିଜେତା ଭାବେ ପରିଚିତ ଅଶ୍ବନୀ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ସିଡିନ ଟେଷ୍ଟରେ ସିଜନ ଆରମ୍ଭ କରିଥିଲେ। ୧୨୮ ବଲରୁ ୨୯ ରନ କରି ଭାରତକୁ ପରାଜୟରୁ ଉଦ୍ଧାର କରଥିଲେ।

ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ସେ ୪ଟି ମ୍ୟାଚରୁ ୧୪.୭୨ ହାରରେ ୩୨ଟି ୱିକେଟ ସହ ୧୮୯ ରନ କରି ପ୍ଲେୟାର ଅଫ ଦି ସରିଜ ହୋଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଚମ୍ପିୟନସିପରେ ୪ଟି ୱିକେଟ ହାତେଇବାରେ ସଫଳ ହୋଇଥିଲେ ଅଶ୍ବିନୀ। ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ୨ ଟି ମ୍ୟାଚରେ ୧୪ଟି ୱେକଟ ନେଇ ପ୍ଲେୟାର ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ।

ଏହି ସମ୍ମାନଜନକ ପୁରସ୍କାର ପାଇଁ ଅନ୍ୟ ୩ଜଣଙ୍କ ନାଁ ମଧ୍ୟ ରହିଛି। ଇଂଲଣ୍ଡ ଅଧିନାୟକ ଜୋ ରୁଟ, ନ୍ୟୁଜିଲାଣ୍ଡ ପେସ ବୋଲର କାଇଲ ଜେମିସନ ଓ ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେଙ୍କ ନାମ ତାଲିକାରେ ରହିଛି। ରୁଟ ୨୦୨୧ ସିଜିନରେ ୧୫ଟି ଟେଷ୍ଟ ମ୍ୟାଚ ଖେଳି ୧୭୦୮ ରନ ସହ ୬ଟି ଶତକ ହାସଲ କରିଛନ୍ତି। ସେହିପରି ଜାମିସନ ୫ଟି ମ୍ୟାଚ ଖେଳି ୧୭ଟି ୱିକେଟ ନେଇଛନ୍ତି। ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ ୭ଟି ମ୍ୟାଚ ଖେଳି ୯୦୨ ରନ ସହ ୪ଟି ଶତକ ହାସଲ କରିଛନ୍ତି।