ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶାର ଝଲକ ଦେଖିପାରୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହାଦ୍ବାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି । ପିଲାଙ୍କ ଭିତରେ ସେ ଭବିଷ୍ୟତ ଓଡିଶାର ଝଲକ ଦେଖିପାରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି ସ୍କୁଲ ରୂପାନ୍ତରିତ ହୋଇଥିବାବେଳେ, ଦ୍ବିତୀୟ ପର୍ଯ୍ୟାୟରେ ୨୯୦୬ଟି ସ୍କୁଲର ରୂପାନ୍ତରଣ ହୋଇଛି। ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ସ୍କୁଲ ରୂପାନ୍ତରଣ କେବଳ ସ୍କୁଲର କାୟିକ ପରିବର୍ତ୍ତନ ନୁହେଁ । ଏହା ପିଲା ମାନଙ୍କର ମାନସିକ ସ୍ତରରେ ବିରାଟ ପରିବର୍ତ୍ତନ ଆଣିପାରିଛି । ପିଲାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି । ଭବିଷ୍ୟତରେ ସେମାନେ ସଫଳ ହେବା ସହିତ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିପାରିବେ । ସ୍କୁଲ ରୂପାନ୍ତର ବାସ୍ତବରେ ଓଡିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି । ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶାର ଝଲକ ଦେଖିପାରୁଛି ।”

ସେହିପରି ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ଉତ୍ସାହର ସହିତ ନିଜ ଭବିଷ୍ୟତର ସ୍ବପ୍ନକୁ ଉପସ୍ଥାପିତ କରିଥିଲେ। ପିଲାମାନେ କହିଥିଲେ ଯେ ଉନ୍ନତ ସୁବିଧା ସହିତ ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଯୋଗୁଁ, ଯେକୌଣସି ବିଷୟରେ ସେମାନେ ତୁରନ୍ତ ଆବଶ୍ୟକୀୟ ତଥ୍ୟ ବା ଜ୍ଞାନ ପାଇପାରୁଛନ୍ତି । ସାରା ବିଶ୍ବର ଜ୍ଞାନ ଏବେ ସେମାନଙ୍କ ହାତ ମୁଠାରେ ରହିଛି । ଏଣୁ ରୂପାନ୍ତର ଯୋଗୁଁ ଏବେ ସ୍କୁଲ ସେମାନଙ୍କ ପାଇଁ ପ୍ରକୃତରେ ଏକ ଜ୍ଞାନ ମନ୍ଦିର ହୋଇପାରିଛି ।