ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଥାନା ଅନ୍ତଗର୍ତ ବନମାଲ ଗ୍ରାମରେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଗୁଳି ମାରି ଜଣକୁ ହତ୍ୟା କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ବାଗେଦାର ପଞ୍ଚାୟତର ବନମାଲ ଗ୍ରାମର ସମିତି ସଭ୍ୟା ବନିତା ବିଶ୍ୱାଳ ଏବଂ ତାଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳ ନିଜ ଘର ସାମ୍ନାରେ ରାତି ୮ଟାରେ ବସିଥିବା ବେଳେ ସେହି ସମୟରେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଲୋକନାଥ ବିଶ୍ୱାଳଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଦେହରେ ବୁନ୍ଧକ ଲଗାଇ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିଟି ତାଙ୍କ ଛାତିରେ ବାଜିଥିଲା । ତୁରନ୍ତ ପରିବାର ଲୋକ ଲୋକନାଥଙ୍କୁ ବେଲପଡ଼ା ଡାକ୍ତରଖାନାକୁ ଆଣିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଲୋକନାଥ ବିଶ୍ୱାଳ ଅଞ୍ଚଳର ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିଲା ପରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।
ମୃତ ଲୋକନାଥଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୁର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ପ୍ରାୟ ବର୍ଷକ ତଳେ ଏକ ବାହାଘର ଭୋଜିକୁ ନେଇ ବାନମାଲ ଗ୍ରାମରେ ବସୁ ପ୍ରଧାନଙ୍କ ପୁଅ ଓ ଲୋକନାଥଙ୍କ ପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ପରେ ଏହା ଉଭୟ ପରିବାର ମଧ୍ୟରେ ଉଗ୍ର ରୂପ ନେଇଥିଲା । ସେହି ଘଟଣାରେ ମୃତ ଲୋକନାଥଙ୍କ ଭାଇ ମନୁ ଏବଂ ପୁଅ ଅନିଲ ମିଶି ବସୁ ପ୍ରଧାନକୁ ମାଡ଼ ମାରିଥିଲେ ଏବଂ ଜେଲ ମଧ୍ୟ ଯାଇଥିଲେ । ଅନ୍ୟପଟେ ଗତ ସରପଞ୍ଚ ନିର୍ବାଚନକୁ ନେଇ ଗିରିଧାରୀ ସା ଏବଂ ମୃତ ଲୋକନାଥଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ପରେ ଗିରିଧାରୀର ସମଥର୍କ ଟିକେଶ୍ୱର ସା ତାସ ଖେଳକୁ ନେଇ ଅନୀଲଙ୍କ ସହିତ ଝଗଡ଼ା କରିଥିଲା ଏବଂ ଖଣ୍ଡା ଧରି ଅନୀଲକୁ ମାରିବାକୁ ଗୋଡ଼ାଇଥିଲେ । ଏମିତି ଅନେକ ଘଟଣା ମୃତ ପରିବାର ଏବଂ ଗ୍ରାମର କିଛି ବ୍ୟକ୍ତିଙ୍କ ସହିତ ଲାଗି ରହୁଥିଲା । ଫଳରେ ବାସୁ ପ୍ରଧାନ, ନିୟନ୍ତ ବିଶ୍ୱାଳ ଏବଂ ଗିରିଧାରୀ ସା ଭଡ଼ାଟିଆ ଗୁଣ୍ଡା ଡାକି ଗୁଳି କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯାଗ କରିଛନ୍ତି । ଅନ୍ୟପେଟ ପୁଲିସ ୨ଜଣ ସନ୍ଦିଗ୍ଧ ଏବଂ ବସୁ ପ୍ରଧାନଙ୍କୁ ଅଟକ ରଖି ଅଧିକ ପଚରାଉଚୁରା ଜାରି ରଖିଛି । ବଲାଙ୍ଗିର ଏସପି ନିଜେ ଲାଠୋର ଥାନାରେ ପହଞ୍ଚିି ଘଟଣାର ତନାଘନା କରୁଛନ୍ତି ।