ବଲାଙ୍ଗିର,ଏନ୍ଏନ୍ଏସ୍: ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନରେ ମଧ୍ୟ ସଂଗଠନର ପୂର୍ବ ଘୋଷଣା ଅନୁଯାୟୀ ଦୋକାନ ଏବଂ ବସ ଟ୍ରକ ଛାଡ଼ି ଆନ୍ୟାନ୍ୟ ସମସ୍ତ ସରକାରୀ ଅଫିସ ପ୍ରତିଷ୍ଠାନ, ବ୍ୟାଙ୍କ, ବୀମା ଓ କୋର୍ଟ କଚେରୀ ଆଜି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଆଜି ସକାଳେ ୟୁନାଇଡେଟ୍ ଟ୍ରେଡ ୟୁନିୟନସ୍ ଅଫ୍ ବଲାଙ୍ଗିରର କର୍ମକର୍ତ୍ତାମାନେ ବିଭିନ୍ନ ଅଫିସ, ସିଭିଲ କୋର୍ଟ ଆଦି ଯାଇ ପିକେଟିଂ କରିଥିଲେ । ଏଥିରେ ଶତାଧିକ ଆଶା କର୍ମୀମାନେ ସାମିଲ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଭା କରିଥିଲେ । ୟୁନାଇଟେଡ୍ ଟ୍ରେଡ୍ ୟୁନିୟନର ଅଧ୍ୟକ୍ଷ ବିଭୁଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ଜିଲ୍ଲା ସଭାପତି ତିର୍ଥ ପ୍ରଧାନ, ସଂପାଦକ ଉମି ଗୁଣ୍ଡା, ସଂଯୋଜିକା ସାସ୍ୱତା ଦାଶ, ମମତା କଚ୍ଛପ, କୁମଦିନି ବାଗ, ମିନାକ୍ଷୀ ଜେନା ଓ ମମତା ବାଗ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ପୁଞ୍ଜିପତି ପ୍ରୀତି ଓ ଶ୍ରମିକ ମାରଣ ନୀତିକୁ ତୀବ୍ର ବିରୋଧ କରିଥିଲେ । ଶ୍ରମିକ ସଂଗଠନଙ୍କର ୧୨ ଦଫା ଦାବି ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହ ପ୍ରମୁଖ ଦାବୀ ଯଥା ସ୍କିମ, ଠିକା ଓ ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରି ମାସିକ ୨୬ ହଜାର ଟଙ୍କା, ସାମାଜିକ ନିରାପତ୍ତା ତଥା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ, ଦରଦାମ ବିରୁଦ୍ଧରେ ତଥା ବେକାରୀଙ୍କୁ ନିଯୁକ୍ତି ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ଘରୋଇକରଣ ବିରୁଦ୍ଧରେ ଗର୍ଜିଥିଲେ ।