ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା: ସ୍ତ୍ରୀ’ର ଚିକିତ୍ସା ପାଇଁ ଟଙ୍କା ଉଠାଇବାକୁ ଆସି ଜେଲ ଗଲେ ସ୍ୱାମୀ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳାରେ ଥିବା ୟୁନିଅନ ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା। ଶେଷରେ ବନ୍ଧା ହୋଇ ଜେଲ ଗଲେ ଯୁବକ। ସୂଚନା ଅନୁସାରେ କନ୍ଦକେଲଗା ପଞ୍ଚାୟତ ଜଳିଆଦରହଁ ଗାଁ’ର ପ୍ରଶାନ୍ତ ମେହେର ନିଜ ସ୍ତ୍ରୀ ଗର୍ଭବତୀ ଅବସ୍ଥାରେ ଥିବାବେଳେ ଚିକିତ୍ସା ପାଇଁ ୟୁନିଅନ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ତିନି ଦିନ ଧରି ଆସି ଆସି ହଇରାଣ ହେଉଥିଲେ। ବ୍ୟାଙ୍କରେ ଲିଙ୍କ ନଥିବା ବ୍ୟାଙ୍କ କର୍ମଚାରୀମାନେ କହି ଫେରାଇ ଦେଉଥିଲେ।

ଶେଷରେ ଉତ୍ତେଜିତ ହୋଇ ବ୍ୟାଙ୍କ ଆଗରେ ତାଲା ପକାଇ ଦେଇଥିଲେ ପ୍ରଶାନ୍ତ। ବ୍ୟାଙ୍କ ମ୍ୟାନେଜର ସୁଧୀର ସାଏ ଏନେଇ ପୁଲିସକୁ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ବ୍ୟାଙ୍କରେ ପହଞ୍ଚି ଯୁବକକୁ ଥାନାକୁ ଆଣି ପଚରାଉଚରା କରିଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ କରିବା ପାଇଁ ଶେଷରେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଜଣେ ଯୁବକ ନିଜର ସ୍ତ୍ରୀ’ର ଚିକିତ୍ସା ପାଇଁ ଟଙ୍କା ଉଠାଇବାକୁ ଜେଲ ଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।