କୋରୁକୋଣ୍ଡା,ଏନ୍ଏନ୍ଏସ୍: ଠକାମିର ଶିକାର ହେଲେ ୨୫ ରୁ ଊର୍ଦ୍ଧ୍ୱ ମହିଳା। ଜଣେ ସ୍ୱାମୀ-ସ୍ତ୍ରୀ ଫାଇନାନ୍ସ ଗ୍ରୁପରୁ ୠଣ ଉଠାଇ ଫେରାର ହୋଇଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ନଂ ୱାର୍ଡ ସ୍ଥିତ ଡମ୍ପିଂ କଲୋନୀ ଠାରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଉକ୍ତ ସ୍ୱାମୀ ଓ ସ୍ତ୍ରୀ ବେସରକାରୀ ଋଣ ପ୍ରଦାନ କାରୀ ସଂସ୍ଥା ଗୁଡିକ ଯଥା:- ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ, ଭେକ୍ଟର ଫାଇନାନ୍ସ, ଅଧିକାରୀ ଫାଇନାନ୍ସ ଏବଂ ଭାରତ ଫାଇନାନ୍ସ ଏହି ୪ଟି ଗ୍ରୁପରୁ ଋଣ ଉଠାଇଥିଲେ। ତେବେ ଋଣ ଉଠାଇବା ପରେ ଏହି ମହିଳାମାନଙ୍କ ଠାରୁ ସ୍ଥାନୀୟ ଅଞ୍ଚଳର ସୋନାଲି ସୁନା ନାମକ ଜଣେ ମହିଳା ଏମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ସେ ସବୁ ଋଣ ସୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କିଛି ମାସ ପର୍ଯ୍ୟନ୍ତ ସେ ନିୟମିତ ଭାବେ ସମସ୍ତଙ୍କ ଋଣ ଟଙ୍କା ଠିକ ସମୟରେ ପୈଠ କରି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସେ କାହାରିକୁ କିଛି ନ ଜଣାଇ ସମସ୍ତଙ୍କ ଋଣ ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଟଙ୍କା ମାଗିବାକୁ ଆସିଥିବା ବେଳେ କେଉଁଠୁ ଆଣି ଟଙ୍କା ଦେବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ଋଣ ଦେଇଥିବା ମହିଳାମାନଙ୍କ ମଧ୍ୟରୁ ସଉଦା ମାଝୀ ନାମକ ଜଣେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ସମେତ ପୁଲିସ ଠକେଇର ଶିକାର ହୋଇଥିବା ସମସ୍ତ ମହିଳାଙ୍କୁ ଥାନାକୁ ଡକାଇ ପଚରାଉଚରା କରି ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା ସୂଚନା ଦେଇଛନ୍ତି।