ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌର ପରିଷଦ ମହା ଦୁର୍ନୀତିର ତଦନ୍ତ ସହ ୧୫ ଦଫା ଦାବି ନେଇ ପୌରପରିଷଦର ୭ କାଉନସିଲରଙ୍କ ଆମରଣ ଅନଶନ ଆଜି ନବମ ଦିନରେ ପହଞ୍ଚିଛି। ହେଲେ ଆଜି ପର୍ଯ୍ୟନ୍ତ ଏହି ଘଟଣାର କୌଣସି ସମାଧାନ ହୋଇପାରିନାହିଁ। ଜିଲ୍ଲା ପ୍ରଶାସନ ଜାଣିଶୁଣି ଅନଶନକାରୀଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ କରାଯାଇଛି। ଅନଶନକାରୀ କାଉନସିଲରଙ୍କ ଦାବି ପୂରଣ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ୱରୂପ ସେମାନେ ଆତ୍ମାହୂତି ଦେବା ପାଇଁ ସଜବାଜ ହେଉଥିବା ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ ଅନଶନକାରୀ ପାରିଷଦଙ୍କୁ କଂଗ୍ରେସ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ସମର୍ଥନ କରୁଥିବାରୁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଓ ପୌର ରାଜନୀତିରେ ନୁଆ ମୋଡ଼ ଘଟିବାର ସମ୍ଭାବନା ଦେଖାଯାଇଛି। ସୂଚନାଯୋଗ୍ୟ ଯେ, ଦେବଗଡ଼ ଦୈନିକ ପରିବା ବଜାର ଟେଣ୍ଡରରେ ଅନିୟମିତତା ହୋଇଥିବାରୁ ଏହି ଟେଣ୍ଡର ରଦ୍ଧ ସହ ପୌର ପରିଷଦର ପୂର୍ବତନ କର୍ମଚାରୀଙ୍କ ଅବସରକାଳୀନ ଅର୍ଥ ହଡପ ଅଭିଯୋଗରେ ଫେରାର ଥିବା ପୌର ପରିଷଦର ଫେରାର ଆକାଉନଟାଣ୍ଟ ବିନୋଦ ନାଗର ଗିରଫ ନେଇ ଦାବି ହୋଇଛି।
ଏଥିସହ ଅନ୍ୟାନ୍ୟ ଦାବି ନେଇ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ବରିଷ୍ଠ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, କାର୍ତ୍ତିକ ମହାକୁଳ, ମଧୁସୂଦନ ବାଘ, ଇତିଶ୍ରୀ ମିଶ୍ର, ସରୋଜିନୀ ମୁଣ୍ଡା ଓ ପିଙ୍କି ସାହୁ ପ୍ରମୁଖ ଗତ ଜୁଲାଇ ୨୫ ତାରିଖରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।