ଡାକ୍ତରଖାନାର ବର୍ଜ୍ୟବସ୍ତୁ ରାସ୍ତାରେ ପଡ଼ୁଛି ଜିଲ୍ଲା By Nitidin On May 16, 2020 Share ଦେବଗଡ଼,ଏନ୍ଏନ୍ଏସ୍: ସରକାରୀ ସ୍ତରରେ ସ୍ୱଚ୍ଛତା ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଦେବଗଡ଼ ଜିଲ୍ଲାରେ କେତେକ ବିଭାଗର ଅଦୁରଦର୍ଶୀତା ଯୋଗୁଁ ଜନସାଧାରଣ ସ୍ୱଚ୍ଛ ଜୀବନ ଜାପନ ପରିବର୍ତ୍ତେ ବିପଦପୂର୍ଣ୍ଣ ଭାବେ ସଂକ୍ରମିତ ହେବାର ଆଶଙ୍କା ଦେଖାଦେଇଛି। ପୌରପରିଷଦ ନିଜସ୍ୱ ଡମ୍ପିଂୟାର୍ଡ ନଥିବାରୁ ପୌରାଞ୍ଚଳରୁ ବାହରୁ ଥିବା ସାଧାରଣ ଆବର୍ଜନାକୁ ପୌରପରିଷଦ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମାତ୍ର ୧୦୦ ମିଟର ବ୍ୟବଧାନରେ ଜାତୀୟ ରାଜପଥ କଡରେ ଗଦା କରାଯାଉଥିବା ବେଳେ ଆଖପାଖ ଅଞ୍ଚଳରେ ରହୁଥିବା ବାସିନ୍ଦା ତଥା ସମଗ୍ର ପରିବେଶ ପ୍ରଦୁଷିତ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଜିଲ୍ଲା ମୁଖ୍ୟଚିକତ୍ସାଳୟରୁ ପ୍ରତିଦିନ ବାହରୁଥିବା ଗଜ୍ କପଡା, ବ୍ୟବହୃତ ଭଙ୍ଗା ଛୁଞ୍ଚି, ଭଙ୍ଗା ଇଞ୍ଜେକ୍ସନ ବୋତଲ ଓ ରକ୍ତ ପୂଜଲଗା ତୁଳା ଆଦି ବର୍ଜ୍ୟବସ୍ତୁକୁ ଡାକ୍ତରଖାନା ସଫେଇ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଚିକିତ୍ସାଳୟର ପଛପାଖ ପାଚେରୀ କଡରେ ଫିଙ୍ଗାଯାଉଥିବା ଦେଖିବାକୁ ମିଳିଛି। ଫଳରେ ଉକ୍ତ ପାଚେରୀ ସମ୍ମୁଖରେ ଥିବା ଜନବସତି ଓ ଉକ୍ତ ରାସ୍ତା ଦେଇ ଯାଉଥିବା ଜନସାଧାରଣଙ୍କ ପ୍ରତି ସଂକ୍ରମଣର ଭୟ ସୃଷ୍ଟି ହୋଇଛି। କୌଣସି ଜନସାଧାରଣଙ୍କ ଦ୍ୱାରା ପୌରାଞ୍ଚଳର କୌଣସି ସ୍ଥାନରେ ଅଳିଆ ଆବର୍ଜନା ଜମାହେଲେ ପୌରପରିଷଦ ପକ୍ଷରୁ ଜନସାଧାରଣଙ୍କ ଉପରେ ଜୋରିମାନା ବ୍ୟବସ୍ଥା ରହିଥିବା ବେଳେ ଖୋଦ ପୌର ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସଫେଇ ଦାଇତ୍ୱରେ ଥିବା ଠିକା ସଂସ୍ଥା ପକ୍ଷରୁ ଜନବସତି ଅଞ୍ଚଳରେ ବିପଦ ପୂର୍ଣ୍ଣ ବର୍ଜ୍ୟବସ୍ତୁ ଫିଙ୍ଗୁଥିବାରୁ ଅଞ୍ଚଳବାସୀଙ୍କ ଠାରେ ରୋଗ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମ୍ପୃକ୍ତ ଅଞ୍ଚଳରୁ ଏହି ବର୍ଜ୍ୟବସ୍ତୁକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ଉକ୍ତ ରାସ୍ତାକୁ ସଂକ୍ରମଣ ମୁକ୍ତ କରିବା ପାଇଁ ଦାବି କରିଛନ୍ତି। Share