ନାଉଗାଁ ଦଳିତ ଯୁବତୀ ଆତ୍ମହତ୍ୟା ଘଟଣା: ଗୃହରେ ବିବୃତି ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜଗତସିଂହପୁର ଜିଲ୍ଲା ନାଉଗାଁ ପୋଲିସ୍ ଷ୍ଟେସନ୍ ଅନ୍ତର୍ଗତ ତେନ୍ତୋଇ ଗ୍ରାମର ଜନୈକା ୨୪ ବର୍ଷୀୟା ଦଳିତ ଯୁବତୀ ଆତ୍ମହତ୍ୟା ଘଟଣାରେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ମଙ୍ଗଳବାର ଗୃହରେ ବିବୃତି ରଖିଛନ୍ତି । ସେ କହିଛନ୍ତି ଯେ ଗତ ନଭେମ୍ବର ୭ ତାରିଖ ସକାଳ ପ୍ରାୟ ୬ଟାରେ ଉକ୍ତ ଗ୍ରାମର ୨୪ ବର୍ଷୀୟା ଝିଅର କୋଠରୀ ଭିତର ପଟୁ ବନ୍ଦ ଥିବା ମା ଦେଖିଥିଲେ । ପରେ କବାଟ ଭଙ୍ଗା ଯିବା ପରେ ଝିଅ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ।

ମୃତା ଯୁବତୀଙ୍କ ମାଙ୍କ କହିବା ଅନୁଯାୟୀ ତାଙ୍କ ପଡୋଶୀ ଯୁବକ ଦୀପକ ବେହୁରା (୩୨) ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଉଥିଲେ । ସେ ଝିଅର କିଛି ଆପତିଜନକ ଫଟୋ ଉଠାଇ ତାଙ୍କ ଘର କାନ୍ଥରେ ଲଗାଇଥିଲେ । ଲଜ୍ଜାରେ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ନେଇ ସେ ନାଉଗାଁ ଥାନାରେ ଏକ ଅଭିଯୋଗ କରିଥିଲେ । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ଦୀପକଙ୍କ ଗତ ୯ ତାରିଖରେ ଗିରଫ କରାଯାଇଥିଲା । ଆଇପିସିର ଧାରା ୩୫୪-ଏ/୩୫୪-ଡି, ୩୦୬/୨୯୨(୨)(ଏ)/୫୦୯ ସହ ଏସସିଏସଟି ଆକ୍ଟର ସେକ୍ସନ୍ ୩ ରେ ତାଙ୍କୁ ଗିରଫ କରାଯାଇ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସେହିପରି ମୃତା ଯୁବତୀ ଦଳିତ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି । ତେବେ ଏହି ମାମଲାରେ ପୂର୍ବରୁ ପିଡୀତାଙ୍କ ପରିବାର ଥାନାରେ ଏତଲା ଦେଇଥିବା ନେଇ ଖବର କାଗଜରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ତାହା ସତ୍ୟ ନୁହେଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ବର୍ତମାନ ଜଗତସିଂହପୁର ଏସଡିପିଓ ଅତିରିକ୍ତ ଏସପିଙ୍କ ତତ୍ୱାବଧାନରେ ମାମଲାର ତଦନ୍ତ କରୁଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ବିବୃତିକୁ ସେ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ।

ସୂଚନାଯୋଗ୍ୟ ଯେ ଗତକାଲି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିବାକୁ ଦାବି କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ପରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ରୁଲିଂ ଦେଇ ରାଜ୍ୟ ସରକାରଙ୍କୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।