ନୂଆଦିଲ୍ଲୀ,ଏଜେନ୍ସି: ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ରେପୋ ରେଟ୍ ସହ ଜଡିତ ଋଣ ସୁଧ ହାର (ବିଆର୍ଏଲ୍ଏଲ୍ଆର୍)କୁ ୭%ରୁ ୬.୮୫%କୁ ହ୍ରାସ କରାଯାଇଛି । ବ୍ୟାଙ୍କର ଏହି ନୂତନ ଦର ଆଜିଠାରୁ ଅର୍ଥାତ୍ ନଭେମ୍ବର ୧,୨୦୨୦ରୁ ଲାଗୁ ହୋଇଛି । ଦେଶର ଏହି ୩ୟ ସର୍ବବୃହତ୍ ସରକାରୀ ବ୍ୟାଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ସୁଧ ହାରରେ ହ୍ରାସ ଦ୍ୱାରା ବ୍ୟାଙ୍କ ଅଫ୍ ବରୋଦାର ଗୃହ ଋଣ, ବନ୍ଧକ ଋଣ, କାର୍ ଋଣ, ଶିକ୍ଷା ଋଣ, ବ୍ୟକ୍ତିଗତ ଋଣ ଆଦି ଶସ୍ତା ହେବ । ବିଆର୍ଏଲ୍ଏଲ୍ଆର୍ରେ ହ୍ରାସ ପରେ ବ୍ୟାଙ୍କର ଗୃହ ଋଣ ୬.୮୫% ଓ କାର୍ ଋଣ ୭.୧୦% ରହିବ । ଏହାପୂର୍ବରୁ ପାର୍ବଣକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଗୃହ ଓ କାର୍ ଋଣ ଉପରେ ରିହାତି ଘୋଷଣା କରାଯାଇଥିଲା ।
ବ୍ୟାଙ୍କ ଅଫ୍ ବରୋଦା ନଭେମ୍ବର ୧ ତାରିଖରୁ ନିଜର ଗ୍ରାହକଙ୍କ ପାଇଁ କରେଂଟ୍, ଓଭର୍ଡ୍ରାଫ୍ଟ, କ୍ୟାଶ କ୍ରେଡିଟ୍, ସେଭିଙ୍ଗ୍ ଓ ଅନ୍ୟ ଆକାଉଂଟ୍ଗୁଡିକ ପାଇଁ ନଗଦ ଜମା ଓ ଉଠାଣ ସହ ଜଡିତ ସେବା ଶୁଳ୍କ ଓ ଚେକ୍ବୁକ୍ ସମ୍ବନ୍ଧିତ ଶୁଳ୍କରେ ପରିବର୍ତନ କରିଛି । ବ୍ୟାଙ୍କର ସୂଚନା ମୁତାବକ, ଏହି ଆକାଉଂଟ୍ଗୁଡିକ ପାଇଁ ବେସ୍ ଓ ଲୋକାଲ ନନ୍ ବେସ୍ ବ୍ରାଂଚ୍ରେ ନଭେମ୍ବର ୧ରୁ କ୍ୟାଶ ହ୍ୟାଣ୍ଡଲିଙ୍ଗ୍ ଚାର୍ଜ ସର୍ବନିମ୍ନ ୫୦ ଟଙ୍କା ଓ ସର୍ବାଧିକ ୨୦,୦୦୦ ଟଙ୍କା ରହିବ । ପ୍ରତିଦିନ ପ୍ରତି ଆକାଉଂଟ୍ରେ ୧ ଲକ୍ଷ ଟଙ୍କାରୁ ଅଧିକ ଜମା ଉପରେ ପ୍ରତି ୧୦୦୦ ଟଙ୍କାରେ ୧ ଟଙ୍କାର ହ୍ୟାଣ୍ଡଲିଙ୍ଗ୍ ଚାର୍ଜ ଦେବାକୁ ହେବ ।