ଯାଜପୁର,ଏନ୍ଏନ୍ଏସ୍: ଆଜି ପବିତ୍ର ମହାବାରୁଣୀ ସ୍ନାନ ଯୋଗ ହୋଇଥିବା ବେଳେ କରୋନା ଭୂତାଣୁ ଯୋଗୁଁ ଯାଜପୁର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ୧୪୪ ଧାରା ଜାରି କରାଯାଇଛି। ୨ପ୍ଲାଟୁନ ପୁଲିସ ମଧ୍ୟ ମୁତୟନ କରାଯାଇଛି । ବାରୁଣୀ ବୁଡକୁ ଶ୍ରଦ୍ଧାଳୁମାନେ ନ ଆସିବାକୁ ବିଭିନ୍ନ ଜାଗାରେ ପୁଲିସ ପକ୍ଷରୁ ଚେକପୋଷ୍ଟ କରାଯାଇ ବାରୁଣୀ ସ୍ନାନକୁ ବାରଣ କରାଯାଇଛି । ଚଳିତ ବର୍ଷ ମହାବାରୁଣୀ ସ୍ନାନ ଯୋଗ ଥିବାରୁ ପିଣ୍ଡଦାନ ଏବଂ ବୁଡ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଥିଲା । ପୂର୍ବରୁ ମଧ୍ୟ ଏନେଇ ପୌରପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ମାତ୍ର ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନାକୁ ରୋକିବା ନିମନ୍ତେ ଯାଜପୁର ଜିଲା ପ୍ରଶାସନ ନିଷ୍ପତ୍ତି କ୍ରମେ ଦଶାଶ୍ୱାମେଧ ଘାଟ ଏବଂ ପାଖାପାଖି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି ।
ଆଜି ସକାଳୁ ସହରର ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସକାଳୁ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଘାଟ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଜିଲାପାଳ ଯାଜପୁରବାସୀଙ୍କୁ ଆଜିର ଦିନରେ ବୁଡକୁ ନ ଆସି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହାକୁ ସ୍ଥାନୀୟ ପୂଜାରୀ, ପୁରୋହିତମାନେ ସମର୍ଥନ କରିବା ସହ ରୋଗ ଯାଜପୁରବାସୀଙ୍କ ମଧ୍ୟରେ ନ ବ୍ୟାପୁ ବୋଲି ମା ବିରଜାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।