ହୋଲଡିଂ ଟ୍ୟାକ୍ସକୁ ନେଇ କାଉନଶୀଲରଙ୍କ ଅନଶନ ଘଟଣା: ଦାବି ପୂରଣ ପରେ ଅନଶନ ପ୍ରତ୍ୟାହୃତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ହ୍ରାସ ଦାବିରେ ପୌରପରିଷଦ ସମ୍ମୁଖରେ ୭ କାଉନସିଲରଙ୍କ ଅନିର୍ଦ୍ଧିଷ୍ଟ ଅନଶନ ଆଜି ପ୍ରତ୍ୟାହୃତ ହୋଇଛି। ପୌର କର୍ତ୍ତୃପକ୍ଷ ତିନି ଦଫା ଦାବି ତତ୍କାଳ ପୂରଣ କରିବା ସହ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ପାଇଁ ନଗର ଓ ଗୃହ ନିର୍ମାଣ ବିଭାଗକୁ ପୌର କର୍ତ୍ତୃପକ୍ଷଙ୍କ ପତ୍ର ଓ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହୃତ ହୋଇଛି।

ପୌର ପରିଷଦ ପାରିଷଦଙ୍କ ବିନା ଅନୁମୋଦନରେ ପୌର କର୍ତ୍ତୃପକ୍ଷ ଦୈନିକ ପରିବା ବଜାରକୁ ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା, ପୌରାଞ୍ଚଳରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ପ୍ରତ୍ୟାହାର, ହୋଲଡିଂ ଟ୍ୟାକ୍ସ ରିହାତି ୨୦ ପ୍ରତିଶତ ସହ ଜୁନ ମାସ ପର୍ଯ୍ୟନ୍ତ ଅବଧି ବୃଦ୍ଧି, ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ରାଶି ପ୍ରଦାନ ଓ ଦୈନିକ ବଜାରରେ ଶୌଚାଳୟ ନିର୍ମାଣ ଦାବିରେ ପୌର କର୍ତ୍ତୃପକ୍ଷ ଓ ୭ କାଉନସିଲରଙ୍କ ମଧ୍ୟରେ ମତଭେଦ କାରଣରୁ ପୌର ପରିଷଦର ୭ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତାଙ୍କ ନେତୃତ୍ୱରେ ବିଦ୍ରୋହ କରିବା ସହ ଆଜି ସକାଳୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରିଥିଲେ। ତେବେ ଶେଷରେ ଆନ୍ଦୋଳନକାରୀ ୭ କାଉନସିଲରଙ୍କ ଦାବୀ ଆଗରେ ପୌର କର୍ତ୍ତୃପକ୍ଷ ମୁଣ୍ଡ ନୂଆଇ ୩ଟି ଦାବି ତତ୍କାଳ ପୂରଣ କରିବା ସହ ଅବଶିଷ୍ଟ ଦାବି ପୂରଣ ପାଇଁ ପ୍ରୟାସ ଆରମ୍ଭ କରିବା ସହ ଅନଶନକାରୀ କାଉନସିଲରଙ୍କ ସହ ଆଲୋଚନା ଓ ଅନୁରୋଧ ପରେ ଅନଶନ ପ୍ରତ୍ୟାହୃତ ହୋଇଥିବା ପାରିଷଦ ଧର୍ମେନ୍ଦ୍ର କୁମାର ଦେବତା ପ୍ରକାଶ କରିଛନ୍ତି।