ଖେଳ ରତ୍ନ ପାଇଁ ଶ୍ରୀଜେଶ ଓ ଦୀପିକାଙ୍କ ନାମ ପଠାଇଲା ହକି ଇଣ୍ଡିଆ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ହକି ଟିମର ଅଭିଜ୍ଞ ଗୋଲକିପର ପିଆର ଶ୍ରୀଜେଶ ଓ ମହିଳା ଟିମର ପୂର୍ବ ସଦସ୍ୟ ଦୀପିକାଙ୍କ ନାମ ପ୍ରତିଷ୍ଠିତ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ପଠାଇଛି। ଅନ୍ୟପଟେ ହରମନପ୍ରିତ ସିଂହ ସମେତ ୩ ଜଣଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଯାଇଛି।

ଟୋକିଓ ଅଲମ୍ପିକ ପାଇଁ ଭାରତୀୟ ହକି ଦଳର ସଦସ୍ୟ ହରମନପ୍ରିତ, ବନ୍ଦନା କଟାରିଆ ଓ ନବଜୋତ କୌରଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଯାଇଛି। କୋଚ ବିଜେ କରିଅପ୍ପା ଓ ସିଆର କୁମାରଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ପଠାଯାଇଛି।

ହକି ଇଣ୍ଡିଆ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଧ୍ୟାନଚନ୍ଦ ପୁରସ୍କାର ପାଇଁ ପୂର୍ବତନ ଖେଳାଳି ଆରପି ସିଂହ ଓ ଏମସି ସଙ୍ଗାଇ ଇବେମାଲଙ୍କ ନାମ ସୁପାରିଶ କରାଯାଇଛି।

ଖେଳ ରତ୍ନ ପୁରସ୍କାର ପାଇଁ ଜାନୁଆରୀ ୨୦୧୭ରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଖେଳର ପ୍ରଦର୍ଶନକୁ ମପାଯିବ।