ନୂଆ ରୂପରେ ସ୍ମାର୍ଟସିଟି ସର୍ଭିଲାନ୍ସ ସିଷ୍ଟମ, ବିଦେଶ ପରି ମିଳିବ ସେବା ଓ ସହାୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସିଟି ସର୍ଭିଲାନ୍ସ ସିଷ୍ଟମରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ସହରବାସୀଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା କ୍ଷେତ୍ରରେ ଦେଖିବାକୁ ମିଳିବ ବୈଦଶିକ ଢାଞ୍ଚାରେ ପରିବର୍ତ୍ତନ। ଟ୍ରାଫିକ ନିୟମ, ସହରରେ ପାର୍କିଂ ପରିଚାଳନା ସହ ସହର ନିୟମ ଅବଗତ ଆଦିର ସଚେତନ ବାର୍ତ୍ତା ସାଇନବୋର୍ଡ଼ ଜରିଆରେ ଲୋକଙ୍କୁ ଦିଆଯିବ। ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଉତ୍ତମ ମାନର ପରିଚାଳନା ସେବା, ନିୟମ ଉଲ୍ଲଙ୍ଘନ କଲେ ଲୋକେସନ ଟ୍ରେସ ଦ୍ୱାରା ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ ସହ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ।

ଏଥିସହିତ ସହର ଭିତରେ କିଭଳି ବିନା ବାଧାପ୍ରାପ୍ତରେ ଟ୍ରାଫିକ ପରିଚାଳନା, ପଦଚାରୀ ଓ ସାଇକେଲ ଆରୋହୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ଏମରଜେନ୍ସି ସିଷ୍ଟମ ଜରିଆରେ ଟ୍ରାଫିକରେ ଆମ୍ବୁଲାନ୍ସ ଆଦି ପ୍ରକ୍ରିୟା, ସହରର ସିସିଟିଭି ସର୍ଭିଲାନ୍ସ ସହିତ ଆକ୍ସିଡେଣ୍ଟ ରେକର୍ଡି ସିଷ୍ଟମ ସହ ଅଟୋମେଟିକ ଭେହିକଲ ଲୋକେସନ ସିଷ୍ଟମ ଆଦି ଉପରେ ସ୍ମାର୍ଟସିଟି ପ୍ରୋଜେକ୍ଟ ସିଇଓ ସଞ୍ଜୟ ସିଂ ସହ କମିସନରେଟ ପୁଲିସର ବୈଠକ ହୋଇଛି।

ବୈଠକରେ କମିସନରେଟ ପୁଲିସ, ଅତିରିକ୍ତ କମିସନର ଓ କଣ୍ଟ୍ରୋଲ ରୁମ ଏସିପି ଯୋଗଦେଇ ଏନେଇ ବିଭିନ୍ନ ଜ୍ଞାନକୌଶଳ ଆଦି ଉପରେ ଆଲୋଚନା କରିଛନ୍ତି। ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନକୁ ସିସିଟିଭି ସର୍ଭିଲାନ୍ସ ସହ ସହର ଭିତରେ ଜନଗହଳି ଆଦି ସ୍ଥାନ ଟ୍ରାଫିକ ପୋଷ୍ଟ ଓ ପୂରା ସହରକୁ ସିସିଟିଭି ସର୍ଭିଲାନ୍ସ ରଖିବା ପାଇଁ ଆଲୋଚନା ହୋଇଛି।