ମାଟ୍ରିକ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି; ସେଟ୍ B ପିଲାଙ୍କୁ ମିଳିବ ୧୭ ମାର୍କ !

କଟକ,ଏନ୍‌ଏନ୍‌ଏସ୍‌: ଦଶମ ଶ୍ରେଣୀ ସାମାଜିକ ବିଜ୍ଞାନର B ସେଟରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ବିଶେଷକରି ଯେଉଁ ମାଟ୍ରିକ ପରୀକ୍ଷାର୍ଥୀ ଶେଷ ଦିନରେ B ସେଟ୍ ପାଇ ପରୀକ୍ଷା ଦେଇଥିବେ ଏବଂ ସେମାନଙ୍କ ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ହୋଇଥିବ ସେମାନଙ୍କୁ ଆଶ୍ବସ୍ତି ମିଳିଛି । କାରଣ ସେମାନେ ଏହି ମୁଦ୍ରଣ ଜନିତ ତ୍ରୁଟି ପାଇଁ ୧୭ ନମ୍ବର ପାଇବେ । ଏନେଇ ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ପ୍ରତିକ୍ରିୟା ରଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି । ତାଙ୍କର କହିବା ଅନୁଯାୟୀ ଉକ୍ତ ମୁଦ୍ରଣ ଜନିତ ତ୍ରୁଟି ପାଇଁ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ନମ୍ବର ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କୌଣସି ଛାତ୍ରଛାତ୍ରୀ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ଫୁଲ ମାର୍କ ପ୍ରଦାନ କରାଯିବ ।

ପ୍ରାୟ ୫ ହଜାର ୫୦୦ ପରୀକ୍ଷାର୍ଥୀ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବୋର୍ଡ଼ ମଧ୍ୟ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି । ସେହିପରି ଏହି ତ୍ରୁଟି ଟେକ୍ନିକାଲ ଜନିତ । ତେଣୁ ଏହିପରି ତ୍ରୁଟି ଯେପରି ପୁନର୍ବାର ନ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡ଼ଃ ନିହାର ରଞ୍ଜନ ମହାନ୍ତି କହିଛନ୍ତି । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଅଭିଯୋଗକୁ ପୂର୍ବରୁ ସ୍ବୀକାର କରିଥିଲେ ବୋର୍ଡ କର୍ତ୍ତୃପକ୍ଷ । ଏହି ତ୍ରୁଟି, ପରୀକ୍ଷାର୍ଥୀମାନଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ଆଉଥରେ ପରୀକ୍ଷା ହେବାର କୌଣସି ସମ୍ଭାବନା ନଥିବା ସ୍ପଷ୍ଟ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ ବୋଲି ବୋର୍ଡ ଉପସଭାପତି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ବୋର୍ଡ ଉପସଭାପତି ଡଃ ନିହାର ରଞ୍ଜନ ମହାନ୍ତି କହିଥିଲେ “ଏଥିରେ ମୁଦ୍ରଣ ଜନିତ ତ୍ରୁଟି ରହିଛି । ୪ଟି ସେଟ ମଧ୍ୟରୁ B ସେଟରେ ମୁଦ୍ରଣ ଜନିତ ତ୍ରୁଟି ଦେଖିବାକୁ ମିଳିଥିଲା । A ସେଟର ପ୍ରଶ୍ନପତ୍ରର କିଛି ଅଂଶ B ସେଟରେ ରହି ଯାଇଥିଲା । ମୂଲ୍ୟାୟନ କରିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ । ଯେପରି କୌଣସି ଛାତ୍ରଛାତ୍ରୀ କମ୍ ମାର୍କ ପାଇବେ ନାହିଁ ।” ତେବେ ପୁନର୍ବାର ପରୀକ୍ଷା ହେବାର ସମ୍ଭାବନା ନାହିଁ ବୋଲି ସେ ଜଣାଇଥିଲେ । ଅର୍ଥାତ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ଦିଆଯିବ ବୋଲି ପରୋକ୍ଷରେ ପ୍ରତିକ୍ରିୟା ଦେଇଥିଲେ ବୋର୍ଡ ଉପସଭାପତି । ଏହି ତ୍ରୁଟିକୁ କେହି ଦେଖିବାର ସୁଯୋଗ ନଥିବା ସେ କହିଥିଲେ । କାରଣ ଏହା କନଫିଡେନସିଆଲ, ସେଥିପାଇଁ ଏହି ତ୍ରୁଟିକୁ କେହି ଦେଖି ପାରିନଥିଲେ । ତେବେ ପୁନର୍ବାର ଏଭଳି ସମସ୍ୟା ଆଉ ହେବ ନାହିଁ ବୋଲି କହିଥିଲେ ବୋର୍ଡ ଉପସଭାପତି ।