ହିମାଚଳ ବନ୍ୟା: ଏନଡିଆରଏଫ ଟିମ ପଠାଇଲା କେନ୍ଦ୍ର

  • ଧର୍ମଶାଳା: ହିମାଚଳ ପ୍ରଦେଶରେ ସୋମବାର ହୋଇଥିବା ବାଦଲ ଫଟା ବର୍ଷା ଓ ତାପରେ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ଧର୍ମଶାଳାର ମାକଲିଓଗଞ୍ଜ ଅଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି। ସେହିପରି ଧର୍ମଶାଳାର ଛେତ୍ରୁ ଗାଁରେ ପ୍ରବଳ କ୍ଷୟକ୍ଷତି ହୋଇଛି। ଧର୍ମଶାଳାଠାରୁ ୩୦ କିମି ଦୂରରେ ଥିବା କାଙ୍ଗ୍ରା ଜିଲ୍ଲାର ବୋହ ଘାଟିରେ ଭୂସ୍ଖଳନ ହେବାରୁ ୫ ଜଣ ପ୍ରାଣ ହରାଇଛନ୍ତି।
    ଏହି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିବା ସହ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି। ଏକ ଟ୍ୱିଟ୍ କରି ମୋଦୀ ଲେଖିଛନ୍ତି, କେନ୍ଦ୍ର ସରକାର ହିମାଚଳ ପ୍ରଦେଶ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି। ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଏକ ଟ୍ୱିଟ କରି ଲେଖିଛନ୍ତି, ହିମାଚଳ ପ୍ରଦେଶକୁ ଏନଡିଆରଏଫ ଟିମ ପଠାଯାଇଛି। ଗୃହ ମନ୍ତ୍ରାଳୟ ସ୍ଥିତି ଉପରେ ବରାବର ନଜର ରଖିଛି ।
    ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସ୍ଥିତିର ସମୀକ୍ଷା କରିବା ସହ ତୁରନ୍ତ ସହାୟତା କାମ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପର୍ଯ୍ୟଟକମାନଙ୍କୁ ନିକଟସ୍ଥ ନଦୀ, ବନ୍ଧ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦେଇଛନ୍ତି।