ଫୁଲବାଣୀ,ଏନ୍ଏନ୍ଏସ୍: ରାଜ୍ୟ ସାରା ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅତିଷ୍ଠ ହୋଇପଡିଥିବା ବେଳେ ଆଜି ଅପରାହ୍ଣରେ ଫୁଲବାଣୀରେ ଅଚାନକ କୁଆପଥର ବର୍ଷା ହୋଇଛି। ଫଳରେ ସହରବାସୀଙ୍କୁ ଗ୍ରୀଷ୍ମ ଦାଉରୁ ସାମୟିକ ରିହାତି ମିଳିଛି। ଗତ ୨-୩ ଦିନ ଧରି ଏଠାରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବା ସହ ଶୁକ୍ରବାର ଫୁଲବାଣୀ ସହରର ତାପମାତ୍ରା ୩୯ ଡିଗ୍ରୀରେ ପହଞ୍ଚିଥିଲା। ତେବେ ଆଜି ଅପରାହ୍ଣରେ ପ୍ରାୟ ଅଧଘଣ୍ଟା ଧରି କୁଆପଥର ବର୍ଷା ହୋଇଥିଲା।
ଫଳରେ ରାସ୍ତା ଘାଟ ସମେତ ଘର ଅଗଣା ମାନଙ୍କରେ ବରଫର ଏକ ଆସ୍ତରଣ ପଡିଥିବା ଦେଖାଯାଇଥିଲା। କିଛି ସମୟ ଧରି ପ୍ରବଳ ପବନ ବହିବା କାରଣରୁ ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗି ଯାଇଥିବା ଲକ୍ଷ୍ୟ କରାଯାଇଛି। ସହରର କିଛି ଅଞ୍ଚଳରେ ବିଦ୍ୟୁତ ତାର ଛିଡି ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏହି କୁଆପଥର ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଖବର ମିଳିନାହିଁ। ପ୍ରବଳ ପବନ ସହିତ ବର୍ଷା ଯୋଗୁଁ ମଧ୍ୟ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।