କଇଁଫୁଲିଆ ସେତୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆସିକା,ଏନ୍‌ଏନ୍‌ଏସ୍‌: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶନିବାର ପୂର୍ବାହ୍ନରେ ଆସିକା କଇଁଫୁଲିଆ ନୂତନ ହାଇଲେଭଲ ସେତୁୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ତ୍ତ ବିଭାଗ ପକ୍ଷରୁ ୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ସେତୁ। ବହୁ ପୁରାତନ କଇଁଫୁଲିଆ ନାଳ ଉପରେ ଥିବା ପୋଲଟି ଜରାଜୀର୍ଣ୍ଣ, ସଂକୀର୍ଣ୍ଣ ସାଙ୍ଗକୁ ଗତ ଫାଇଲିନ, ହୁଡୁହୁଡୁ, ତିତଲି ବାତ୍ୟାରେ ପ୍ରଭାବିତ ହୋଇଥିଲା। ନାଳ ଦେଇ ଜଳ ନିଷ୍କାସନ ହୋଇ ପାରୁନଥିଲା।

ଫଳରେ ଆସିକା-ଭୁବନେଶ୍ୱର ମୁଖ୍ୟରାସ୍ତାରେ ଯାତାୟାତ ସମସ୍ୟା ସୃଷ୍ଟିହେଉଥିଲା। ସମସ୍ୟା ଦୂରପାଇଁ ପୂର୍ତ୍ତ ବିଭାଗ ଅଧିନରେ ନୂତନ ପୋଲ ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତି ହୋଇଥିଲା। ଦୁଇମାସରୁ ଊର୍ଦ୍ଧ୍ୱ ହେଲା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ହେଁ ଉଦ୍‌ଘାଟନ ପାଇଁ ଅପେକ୍ଷା ରହିଥିଲା। ଏହି ହାଇଲେଭଲ ସେତୁଦ୍ୱାରା ଏବେ ବର୍ଷ ସାରା ଯାତାୟାତର ସମାଧାନ ହୋଇପାରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ କଇଁଫୁଲିଆ ଛକ, ଚିନିଶିଳ୍ପ ନୂଆଗାଁ ସହ ନିକଟ ଅଞ୍ଚଳର ଲୋକେ ଏହି ରାସ୍ତାଉପରେ ନିର୍ଭର କରିଥାନ୍ତି। ଆସିକା-ଭୁବନେଶ୍ୱର, ଆସିକା-ବୁଗୁଡ଼ା, ଆସିକା-ବାଲିପଦର, ଆସିକା-ନୟାଗଡ଼କୁ ସଂଯୋଗ କରୁଥିବା ଏହି ରାସ୍ତାରେ ବହୁ ଯାତ୍ରୀବାହୀ ବସ୍ ଓ ଭାରୀଯାନ ଯିବା ଆସିବା କରିଥାଏ।

କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଜିଲ୍ଲାପାଳ ବିିଜୟ ଅମୃତ କୁଲାଙ୍ଗେ, ପିଡି ଡିଆର୍‌ଡିଏ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନମ ପୋଲାଇ, ଆସିକା ବିଡିଓ ରୋଶନ ଶତପଥୀ, ଆସିକା ତହସିଲଦାର ସଦାନନ୍ଦ ସେଠୀ, ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, କବିସୂର୍ଯ୍ୟନଗର ବ୍ଲକ୍ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢି, ଆସିକା ବ୍ଲକ୍ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ବରିଷ୍ଠ ନେତା ଦିଲ୍ଲୀପ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।