ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣା ଦେଇଥିବା ଡାକ୍ତର ସଚ୍ଚିକାନ୍ତ ଲେଙ୍କାଙ୍କୁ କୁକୁର ଭଳି ବ୍ୟବହାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚୌଧୁରୀ ଶୋଭାରାଣୀ ମିଶ୍ର ସର୍ବସମ୍ମୁଖରେ ଗୋଡ଼ ତଳେ ପଡ଼ି ମୁଣ୍ଡିଆ ମାରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମିଳିଥିବା ରିପୋର୍ଟ ମୁତାବକ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସଚ୍ଚିକାନ୍ତ ଲେଙ୍କା ନିଜର କିଛି ଅଭିଯୋଗ ନେଇ ଗତ ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶୋଭାରାଣୀ ମିଶ୍ରଙ୍କ ନବରଙ୍ଗପୁରସ୍ଥିତ କାର୍ଯ୍ୟାଳୟରେ ପହଂଚିଥିଲେ। ଗତ ୫ବର୍ଷ ଧରି ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାକିରି କରିବା ଦିନଠାରୁ ତାଙ୍କୁ କୌଣସି କ୍ୱାଟର୍ସ ଯୋଗାଇ ଦିଆଯାଉନଥିବା, କେବିକେ ଇନସେଣ୍ଟିଭ ପ୍ରଦାନ ହୋଇନଥିବା, ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଚିକିତ୍ସାଧିକାରୀ କୌଣସି ସହଯୋଗ କରୁନଥିବା ଅଭିଯୋଗ କରିବା ସହ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦୁର୍ନୀତିର ଗନ୍ତାଘର ପାଲଟିଥିବା ନେଇ ଡାକ୍ତର ଲେଙ୍କା ସିଡିଏମଓଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣି ସମାଧାନ କରିବା ବଦଳରେ ସିଡିଏମଓ ଓଲଟି ତାଙ୍କୁ କୁକୁର ଭଳି ବ୍ୟବହାର କରିଥିବା ଶ୍ରୀ ଲେଙ୍କା ଅଭିଯୋଗ କରିଛନ୍ତି। ଏଠି କାହିଁକି କୁକୁର ଭଳି ଭୋକୁଥିବା ସିଡିଏମଓ କହିଥିବା ଡାକ୍ତର ଲେଙ୍କା ଅଭିଯୋଗ କରିଛନ୍ତି।
ସେହିପରି ସୋମବାର ପୁଣି ଅଭିଯୋଗ ନେଇ ଆସିଥିବା ଡାକ୍ତର ଲେଙ୍କା ପୁନଶ୍ଚ ଦୁର୍ବ୍ୟବହାରର ସମ୍ମୁଖୀନ ହେବା ପରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡା. ଲେଙ୍କା ଧାରଣାରେ ବସିଥିଲେ ଏବଂ ସିଡିଏମଓଙ୍କଠାରୁ ଜବାବ ମାଗିଥିଲେ। ଅନ୍ୟପଟେ ଦୁର୍ବ୍ୟବହାର ଅଭିଯୋଗକୁ ସିଡିଏମଓ ଖଣ୍ଡନ କରିବା ସହ ଶ୍ରୀ ଲେଙ୍କା ତାଙ୍କୁ ଦୁର୍ବ୍ୟବହାର କରିଥିବା ପାଲଟା ଅଭିଯୋଗ କରିଛନ୍ତି। ଏହାର ପ୍ରମାଣ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଥିବା ମଧ୍ୟ ସିଡିଏମଓ ପ୍ରକାଶ କରିଛନ୍ତି। ସମାଜସେବୀ କାହ୍ନୁ ଦାଶଙ୍କ ସମେତ ବହୁ ସମାଜସେବୀ ବୁଦ୍ଧିଜୀବୀ ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ଡାକ୍ତରଙ୍କୁ ସମର୍ଥନ କରିବା ସହ ସିଡିଏମଓଙ୍କୁ ପଚାରିବାରୁ ସଙ୍ଗେସଙ୍ଗେ ସିଡିଏମଓ ଡା. ମିଶ୍ର ସମସ୍ତଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରି ହାଇଡ୍ରାମା କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଯଦି ନ୍ୟାୟ ନମିଳେ ଆତ୍ମାହୁତି ଦେବେ ବୋଲି ଡା. ଲେଙ୍କା ଚେତାବନୀ ଦେଉଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଓ ବରିଷ୍ଠ ଥାନାଧିକାରୀ ତରେକ୍ ଅହମ୍ମଦ ପହଞ୍ଚି ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।