ଏସଆଇଟି ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ: ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀ ହତ୍ୟା ଘଟଣାରେ ଏସଆଇଟି ତଦନ୍ତକୁ ନେଇ ଓଡ଼ିଶା ହାଇକୋର୍ଟ ସନ୍ତୋଷ ବ୍ୟକ୍ତକରିଛନ୍ତି। ଏସଆଇଟି ପକ୍ଷରୁ ଦିଆଯାଇଥିବା ତିନୋଟି ଷ୍ଟାଟସ୍‍ ରିପୋର୍ଟ ଉପରେ ହାଇକୋର୍ଟ ସନ୍ତୋଷ ବ୍ୟକ୍ତକରିବା ସହ ପରବର୍ତ୍ତୀ ଶୁଣାଣି ଲାଗି ତାରିଖ ଧାର୍ଯ୍ୟ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ପରୀ ହତ୍ୟା ଘଟଣାର ତଦନ୍ତ ଲାଗି ଓଡ଼ିଶା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‍ (ଏସଆଇଟି) ଗଠନ ସକାଶେ ୨୦୨୦ ନଭେମ୍ବର ୨୭ ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ନଭେମ୍ବର ୨୮ ତାରିଖରେ ଓଡ଼ିଶା ସରକାର ଏସ୍ଆଇଟି ଗଠନ ନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିବା ସହିତ ତଦନ୍ତର ମନିଟରିଂ ପାଇଁ ଅଦାଲତଙ୍କୁ ଅନୁରୋଧ କରିଥିଲେ।

ଏପରିକି ଏସ୍‍ଆଇଟି ତାହାର ତଦନ୍ତର ଅଗ୍ରଗତି ନେଇ ନିୟମିତ ଭାବେ ହାଇକୋର୍ଟଙ୍କୁ ଷ୍ଟାଟସ୍‍ ରିପୋର୍ଟ ଦେଇ ଆସୁଛି। ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‍ଆଇଟି ଦ୍ୱାରା ଦିଆଯାଇଥିବା ତିନୋଟି ଷ୍ଟାଟସ୍‍ ରିପୋର୍ଟକୁ ଅନୁଧ୍ୟାନ କରି ସନ୍ତୋଷବ୍ୟକ୍ତ କରିବା ସହିତ ମାର୍ଚ୍ଚ ୨୫ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ହେଲେ ଓଡ଼ିଶା ବିଜେପି ପରୀ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତକୁ ପ୍ରଥମ ଦିନରୁ ସମର୍ଥନ କରିବା ସହିତ ମନଗଢ଼ା ଆରୋପ ଓ ଶସ୍ତା ରାଜନୀତି ଚଳାଇଛି। ଓଡ଼ିଶା ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି ନିମ୍ନସ୍ତରର ରାଜନୀତି କେବେ ବି ଦେଖିବାକୁ ମିଳିନଥିଲା ଯାହା ପରୀ ଘଟଣାରେ ଓଡ଼ିଶା ବିଜେପି ଦେଖାଉଛି। ଓଡ଼ିଶାବାସୀ ରାଜ୍ୟ ବିଜେପିର ଏଭଳି ମନଗଢ଼ା ମିଥ୍ୟା ଆରୋପକୁ ପ୍ରତିଦିନ ଅନୁଧ୍ୟାନ କରିବା ସହିତ ଅତୀତରେ ବିଜେପିକୁ ଯେଭଳି ଶିକ୍ଷା ଦେଇଛନ୍ତି ପୁଣିଥରେ ତାହା ଦୋହରାଇବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।