ଏମସିଏଚ୍ ମୁଖ୍ୟ ଫାଟକ ନିକଟରେ ଅସହାୟ ମହିଳାଙ୍କ ପ୍ରସବ

କୋରାପୁଟ,ଏନ୍ଏନ୍ଏସ୍: ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ଜନୈକା ଅସହାୟ ମହିଳା ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ଅସହାୟ ଗର୍ଭବତୀ ମହିଳା ହସ୍ପିଟାଲ ପରିସରରେ ଅନେକ ଦିନରୁ ରହି ଆସୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ସହାୟତା ନିମନ୍ତେ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଜରୁରୀକାଳୀନ କାର୍ଯ୍ୟାଳୟର କର୍ମଚାରୀ, ପୁଲିସ୍ ଓ ଜନୈକ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ ଅସହାୟ ମହିଳାଙ୍କୁ ତେଲୁଗୁ ଭାଷାରେ କଥା ହୋଇ ହସ୍ପିଟାଲ୍ ଭିତରକୁ ଯିବାକୁ ପରାମର୍ଶ ଦେଇଥିଲେ। ହେଲେ ମହିଳା ଜଣଙ୍କ ସେଠାରେ ହିଁ ବସି ରହିବାକୁ ଅଡି ବସିଥିଲେ।

ଗତକାଲି ରାତ୍ରିରେ ମହିଳା ଜଣଙ୍କ ସେଠାରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ପରେ ଉପସ୍ଥିତ ଥିବା କେତେକ ଲୋକ ଏମସିଏଚ୍ ପୁଲିସ୍ ଫାଣ୍ଡିକୁ ଜଣାଇଥିଲେ। ଘଟଣା ଜାଣିବା ପରେ ଫାଣ୍ଡି ଅଧିକାରୀ ମହେଶ୍ୱର ପାଇକ ହସ୍ପିଟାଲ ଷ୍ଟାଫ୍ ଓ ଡାକ୍ତରଙ୍କୁ ଜଣାଇବା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ। ଡାକ୍ତର ଜଗଦୀଶ ବେହେରା ଓ ନର୍ସମାନେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିବା ପରେ ପ୍ରସୂତି ଓ ନବଜାତକକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।