ଜିତିଲେ ଭୋଟରଙ୍କୁ ହେଲିକପ୍ଟର ଦେବାକୁ ପ୍ରତିଶ୍ରୁତି ଦେଲେ ସ୍ୱାଧୀନ ପ୍ରାର୍ଥୀ

ଚେନ୍ନାଇ, ଏଜେନ୍ସି: ନିର୍ବାଚନରେ ଜିତିବା ପାଇଁ ପ୍ରାର୍ଥୀମାନେ ଭୋଟରମାନଙ୍କୁ ବିଭିନ୍ନ ଉପାୟରେ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଛନ୍ତି। କେତେକ ପ୍ରାର୍ଥୀ ଭେଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଏଭଳି ପ୍ରତିଶ୍ରୁତି ଦେଉଛନ୍ତି, ଯେଉଁଥିରେ ସେମାନେ ଆଶ୍ଚର୍ଯ୍ୟ ବି ହେଉଛନ୍ତି। ତାମିଲନାଡ଼ୁରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଲୋକମାନଙ୍କୁ ଚନ୍ଦ୍ରପୃଷ୍ଠକୁ ଶହେ ଦିନିଆ ଭ୍ରମଣର ସୁଯୋଗ ଦେବା ସହ ଆହୁରି ଅନେକ ମିଠା ପ୍ରଲୋଭନ ଦେଖାଇଛନ୍ତି। ମଦୁରାଇ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଥୁଲମ ସରବନନ କହିଛନ୍ତି, ଯଦି ସେ ନିର୍ବାଚନରେ ଜିତିବେ ତେବେ ସମସ୍ତଙ୍କୁ ଆଇଫୋନ୍, ସୁଇମିଂ ପୁଲ୍ ଥିବା ତିନି ମହଲା କୋଠା, ୨୦ଲକ୍ଷ ଟଙ୍କାର କାର୍, ପ୍ରତି ପରିବାରକୁ ଗୋଟିଏ ଛୋଟ ହେଲିକପ୍ଟର, କୋଟିଏ ଟଙ୍କାର ଫିକ୍ସଡ ଡିପୋଜିଟ୍, ବାହାଘରରେ ସୁନା ଯୋଗାଇ ଦେବେ ଏବଂ ନିର୍ବାଚନମଣ୍ଡଳୀକୁ ଗରମରୁ ରକ୍ଷା କରିବାକୁ ୩୦୦ ଫୁଟ୍ କୃତ୍ରିମ ବରଫ ପାହାଡ଼ ନିର୍ମାଣ କରିବେ। ଏହିସବୁ ପ୍ରତିଶ୍ରୁତି ଦେଇଥିବା ସ୍ୱାଧୀନ ପ୍ରାର୍ଥୀ ସରବନନ କହିଛନ୍ତି ଯେ ସେ ୨୦ହଜାର ଟଙ୍କା ଋଣ କରି ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ ସେ ଗଣମାଧ୍ୟମକୁ କହିଛନ୍ତି, ବିଭିନ୍ନ ରାଜନୈତିକ ଦଳ ଭୋଟ୍ ହାତେଇବା ପାଇଁ ଅନେକ ମିଥ୍ୟ ପ୍ରତିଶ୍ରୁତି ଦେଉଥିବାରୁ ଏ ସମ୍ପର୍କରେ ଭୋଟର୍ଙ୍କୁ ସଜାଗ କରିବା ଲାଗି ସେ ଏଭଳି ଅବାସ୍ତବ ପ୍ରତିଶ୍ରୁତି ଦେଇଛନ୍ତି। ଯଦ୍ଦ୍ୱାରା ଭୋଟରମାନେ କୌଣସି ପ୍ରଲୋଭନରେ ପ୍ରଲୋଭିତ ନହୋଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରିପାରିବେ। ସରବନନଙ୍କର ନିର୍ବାଚନ ସଙ୍କେତ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ତାଙ୍କର ସଙ୍କେତ ହେଉଛି ‘ଡଷ୍ଟବିନ୍’।