ବିଏସଏଫ ପକ୍ଷରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପିପଳାପଦର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବିଏସଏଫ ଯବାନମାନେ ଗତକାଲି ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି। ଗତକାଲି ପିପଳାପଦର ଓ ଡାଇକ-୩ କ୍ୟାମ୍ପର ବିଏସଏଫ ଯବାନମାନେ କୁମ୍ବିଂ ଅପରେସନରେ ବାହାରିଥିବା ବେଳେ ତଲାସୀ ସମୟରେ ମାଟି ତଳେ ପୋତାଯାଇଥିବା ବହୁ ସାମଗ୍ରୀ ଜବତ କରିଥିଲେ। ଏଥିରେ ଗୋଟିଏ ଏସବିଏମଏଲ ବନ୍ଧୁକ, ଜିଲେଟିନ ଷ୍ଟିକ ୧୧ଟି, ଇଲେକଟ୍ରିକ ଡେଟୋନେଟର ୧୧ଟି, ୧୦ ମିଟର ତାର, ଗୋଟିଏ ମାଓ ପୋଷାକ, ଗୋଟିଏ ମାଓ ପତାକା, ୨ଟି ମାଓ ପୁସ୍ତକ, ଆଇରନ ସ୍ପାଇକ୍ସ ୭ଟି, ନେଲ ଆଇରନ ୧୦୦ ଗ୍ରାମ, ଆକ୍ସ ଆଇରନ ଗୋଟିଏ ଓ ହାବର ସାକ ଗୋଟିଏ ଜବତ କରାଯାଇଛି। ଏହି ବିସ୍ଫୋରକ ମାଧ୍ୟମରେ ମାଓବାଦୀମାନେ ଏକ ବଡ଼ ଧରଣର ହିଂସା ଘଟାଇବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ଏହାଦ୍ୱାରା ଏକ ବଡ଼ ଘଟଣାକୁ ଏଡ଼ାଇ ଦିଆଯାଇପାରିଛି ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି।