କଟକ,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ କଟକ ଜଗତପୁର ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ରାୟ ଶୁଣାଇଛନ୍ତି କଟକ ପକ୍ସୋ କୋର୍ଟ। ୨୦୧୮ ମସିହାରେ ଘଟିଥିବା ଏହି କାଣ୍ଡ ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଆଜି ୪ ବର୍ଷ ପରେ ମାମଲାରେ ଫଇସଲା ହୋଇଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତୋଫାନ ଜେନାକୁ କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ୨୦ ହଜାର ଟଙ୍କାର ଜୋରିମାନା ମଧ୍ୟ କରାଯାଇଛି।
ଅନ୍ୟପଟେ ପୀଡିକାଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କୁ କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏହି ଗୋଟିଏ ମାମଲା ନୁହେଁ ରାଜ୍ୟରେ ଏହି ଭଳି ମହିଳା ଓ ଶିଶୁ ମାନଙ୍କ ପ୍ରତି ଦିନ ଅତ୍ୟାଚାର ଘଟିଚାଲିଛି ଓ କେତେବେଳେ ଦୋଷୀକୁ ଦଣ୍ଡ ମିଳୁଛି ତ ଆଉ କେତେବେଳେ ଦୋଷୀର ଦୋଷ ସାବ୍ୟସ୍ତ କରିବାକୁ ବର୍ଷ ବର୍ଷ ବିତିଯାଉଛି।